ଦିଲ୍ଲୀ ଫେସନ ସୋ’ରେ ପୁରସ୍କୃତ ହେଲେ ବ୍ରହ୍ମପୁରର ସବିତା ମହାଙ୍କୁଡ଼

ବ୍ରହ୍ମପୁର,(ୱାଇଏନ୍ଏସ୍)ଦିଲ୍ଲୀର ଗ୍ରେଟର ନୋଏଡ଼ାର କ୍ରାଉନ୍ ପ୍ଲାଜାରେ ଏମ୍‌ଆଇକ୍ୟୁଏଚ୍ ଦ୍ୱାରା ମିସ୍ ଆଣ୍ଡ ମିସେସ୍ କ୍ୱିନ୍ ଅଫ୍ ହାର୍ଟସ ଫେସନ ସୋ’ର ତୃତୀୟ ସଂସ୍କରଣ ଡ଼ିସେମ୍ବର ୨୧ ତାରିଖରୁ ଡ଼ିସେମ୍ବର ୨୩ ତାରିଖ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଦେଶିକା ସୋନିଆ ଅଗ୍ରୱାଲ୍ ଏହାର ମୁଖ୍ୟ ନିର୍ଦ୍ଦେଶିକା ଥିବାବେଳେ ଏଥିରେ ସହ ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ୍ ମଧ୍ୟ ଯୋଗ ଦେଇଥିଲେ । ମୁଖ୍ୟତଃ ମହିଳା ସଶସ୍ତ୍ରୀକରଣ ଏହି ତୃତୀୟ ସଂସ୍କରଣ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଏହା ଏକ ପ୍ଲାଟଫର୍ମ ଯେଉଁଥିରେ ଗୃହିଣୀ ଏବଂ ମହିଳାମାନେ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇ ପାରୁନଥିଲେ, ସେମାନଙ୍କୁ ଏହି ଫେସନ ସୋ ପ୍ରୋତ୍ସାହିତ କରିବ ବୋଲି ନିର୍ଦ୍ଦେଶିକା କହିଥିଲେ । ଏଥିରେ ସାରା ଦେଶରୁ ବଛା ବଛା ଯୁବତୀ ଏବଂ ଗୃହିଣୀ ଯୋଗଦେଇ ଫେସନ ଜରିଆରେ ନିଜର କଳାର ପରିଚୟ ଦେଇଥିଲେ । ଡ଼ିସେମ୍ବର ୨୩ ତାରିଖରେ ଏହାର ଫାଇନାଲ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁରର ବ୍ୟାଙ୍କ କଲୋନୀ ତୃତୀୟ ଗଳି ନିବାସୀ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ପତ୍ନୀ ସବିତା ମହାଙ୍କୁଡ଼ ଯୋଗଦେଇ ଅଦ୍ଭୁଦପୂର୍ବ ସଫଳତା ପାଇଛନ୍ତି । ସେ ଦୁଇଟି କ୍ୟାଟେଗୋରିରେ ବେଷ୍ଟ ବିବେଚିତ ହୋଇଛନ୍ତି । ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ସବିତା ମିସ୍ ବିୟୁଟି ୱିଥ ବ୍ରେନ-୨୦୨୦ ଏବଂ କ୍ଲାସିକ୍ ଫିଟ୍‌-୨୦୨୦ ବିବେଚିତ ହୋଇଛନ୍ତି । ସବିତା ବ୍ରହ୍ମପୁରର ମେଡ଼ିକାଲ୍ ବ୍ୟାଙ୍କ କଲୋନୀ ଟାୱାର ଲାଇନ୍‌ରେ ଥିବା ଜାଗୃତି ଫିଟ୍‌ନେସ୍ ପଏଣ୍ଟରେ ଟ୍ରେନିଂ ନେଉଥିଲେ । ଏଠାରେ ଟ୍ରେନିଂ ନେଇ ସେ ବହୁତ କିଛି ଶିକ୍ଷାଲାଭ କରି ନିଜର କଳାକୁ ଜାତୀୟସ୍ତରରେ ଦେଖାଇ ପାରିଛନ୍ତି । ଜାଗୃତି ଫିଟ୍‌ନେସନ ପଏଣ୍ଟର ଆଧୁନିକ ଯନ୍ତ୍ରାଂଶ ଏବଂ ଉଚ୍ଚକୋଟିର କୋଚ୍‌ମାନଙ୍କଠାରୁ ଶିକ୍ଷାଲାଭ କରି ନିଜର ସୁନ୍ଦରତାକୁ ଦେଖାଇବାରେ ଫଳପ୍ରଦ ହୋଇପାରିଛନ୍ତି । ଏଥିପାଇଁ ସବିତା ଜାଗୃତି ଫିଟ୍‌ନେସ ପଏଣ୍ଟର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ଏବଂ କୋଚମାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସବିତାଙ୍କୁ ମଧ୍ୟ ନିର୍ଦ୍ଦେଶିକା ଏହି ଅଦ୍‌ଭୁତପୂର୍ବ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଜାଗୃତି ଫିଟ୍‌ନେସ୍ ପଏଣ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ଏନେଇ ଡ଼ିସେମ୍ବର ୩୧ ତାରିଖରେ ଜାଗୃତି ଫିଟ୍‌ନେସ ପଏଣ୍ଟରେ ସବିତା ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରୁଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ