ଗୋପିନାଥପୁର ଜି.ପି.ଏଲ୍‌.ଏଫ ଧାନମଣ୍ଡିକୁ ନେଇ ଚାଷୀ ଆଶଙ୍କାରେ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅନ୍ତର୍ଗତ ୨୫ ଗୋଟି ଗ୍ରାମ ପଞ୍ଚାୟତର ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ସରକାର ଧାନ କ୍ରୟ ପାଇଁ ମୋଟ ୧୮ଟି ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୧୦ଟି ସେବା ସମବାୟ ସମିତି ଏବଂ ୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନମଣ୍ଡି ଖୋଲି ଚାଷୀ ମାନଙ୍କ ଠାରୁ ଧାନକ୍ରୟ ପାଇଁ ଅନୁମତି ଦିଆଯାଇଛି । ଡିସେମ୍ବର ୨୨ ତାରିଖ ଠାରୁ ଧାନକ୍ରୟ ପାଇଁ ସମସ୍ତ ମଣ୍ଡିକୁ ସରକାରୀ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ଅନୁସାରେ ସମସ୍ତ ସମବାୟ ସମିତି ଧାନ କ୍ରୟ କରିବା ଆରମ୍ଭ କରିଦେଇଥିବା ବେଳେ ମିଲର ମାନେ ସମବାୟ ସମିତିରୁ ଧାନ ଉଠାଣ କରୁଥିବା ଜଣାଯାଇଛି । କେତେକ ମହିଳା ଗୋଷ୍ଠୀ ଏବଂ ଜି.ପି.ଏଲ୍‌.ଏଫ ମଧ୍ୟ ଧାନ କ୍ରୟ କରିବା ଆରମ୍ଭ କରିଛନ୍ତି । ଏପରିସ୍ଥଳେ ଚାରିଗାଁ ପଞ୍ଚାୟତର ଚକ୍ରାପାଢୀର ଏକ ମହିଳା ଗୋଷ୍ଠୀ ଏବଂ ଗୋପିନାଥପୁର ଗ୍ରାମ ପଞ୍ଚାୟତର ମିଶନଶକ୍ତି ଜି.ପି.ଏଲ୍‌.ଏଫକୁ ଧାନମଣ୍ଡି ଖୋଲି ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ପାଇଁ ସରକାରଙ୍କ ସହିତ ଚୁକ୍ତି କରିଛନ୍ତି । ଗୋପିନାଥପୁର ମଣ୍ଡିରେ ଅଦ୍ୟାବଧି ଧାନକ୍ରୟ ଆରମ୍ଭ ହୋଇନଥିବାରୁ ଏହା ଅଧିନରେ ଥିବା ୨ ଶହ ପଞ୍ଜୀକୃତ ଚାଷୀ ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ଧାନକ୍ରୟ ପୂର୍ବରୁ କୁଇଁଣ୍ଟାଲ ପିଛା ୬ କିଗ୍ରା କଟନୀ ହେବା ନେଇ ଚାଷୀ ମାନଙ୍କୁ କୁହାଯାଉଛି । ଫଳରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଭିତ୍ତିଭୂମି ଏବଂ ଦକ୍ଷତା ଦେଖା ନଯାଇ ଧାନମଣ୍ଡି ଖୋଲିବାକୁ ଅନୁମତି ଦିଆଯାଇଥିବାରୁ ଧାନମଣ୍ଡି ପରିଚାଳନାରେ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଗୋପିନାଥପୁର ଧାନମଣ୍ଡିରେ ଯଥାଶିଘ୍ର ଧାନକ୍ରୟ କରାଯିବା କିମ୍ବା ପୁରୁଷଣ୍ଢ ସେବା ସମବାୟ ସମିତିରେ ଚାଷୀ ମାନଙ୍କୁ ଧାନ ବିକ୍ରି ପାଇଁ ଅନୁମତି ଦେବାକୁ ଶତାଧିକ ଚାଷୀ ଦାବୀ କରିଛନ୍ତି । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ