ସୁନା ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ
ଘଟଗାଁ(ଯୁଗାଦ୍ଦନ୍ୟୁଜ)ଆଜି ରାଜ୍ୟର ସମସ୍ତ ଶକ୍ତି ପିଠ ଗୁଡିକରେ ଦୁର୍ଗତିନାସିନୀ ମାଆ ଦୁର୍ଗାଙ୍କର ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପ୍ରସିଦ୍ଧ ଶକ୍ତି ପିଠ ଘଟଗାଁ ମା ତାରିଣୀ ପିଠରେ ସପ୍ତମୀ ପୂଜା ଅନୁଷ୍ଠିତ ହେଉଅଛି । ସୁନା ବେଶରେ ଦର୍ଶନ ଦେଉଛନ୍ତି ମା । ଅନ୍ୟପକ୍ଷରେ ତାରିଣୀ ପରିଷରରେ ଥିବା ମୃମ୍ମୟୀ ମଣ୍ଡପରେ ମା ଦୁର୍ଗାଙ୍କର ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିଲା । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନେ ସକାଳୁ ସକାଳୁ ହାତରେ ଭୋଗ ଡାଲା ଧରି ଲମ୍ବା ଧାଡିରେ ମନ୍ଦିରରେ ପ୍ରବେଶ କରି ମାଙ୍କର ସୁନା ବେଶ ଦର୍ଶନ କରିଥିଲେ । ମା ତାରିଣୀଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ କରି ମନ୍ଦିରରେ ବାକି ଦିନ ଅପେକ୍ଷା ଅଧିକ ସଂଖ୍ୟକ ପୂଜକ ନିୟୋଜିତ ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ତେବେ ଆଜି ପ୍ରାତଃ ସମୟରୁ ଦେହୁରୀ ମାନଙ୍କ ଦ୍ୱାରା ମାଙ୍କର ସ୍ନାନ , ମଙ୍ଗଳଆଳତି, ବଡସିଂହାର କାର୍ଯ୍ୟ ଯଥାରିତି ପୂଜା କାର୍ଯ୍ୟ ସମାପନ କରାଯାଇ ମାଙ୍କର ସୁନା ବେଶ ଅନୁଷ୍ଠିତ କରାଯାଇଥିଲା । ବିଶେଷ କରି ଆଜି ଠାରୁ ମାଆ ଚାରି ଦିନ ଧରି ସୁନା ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡଛି । ମାଆଙ୍କ ଦର୍ଶନ କଲେ ଭକ୍ତଙ୍କର ସମସ୍ତ ମନୋସ୍କାମନା ପୁର୍ଣ୍ଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ଆଶା ଏବଂ ବିଶ୍ୱାସ ରହିଛି ।


