ନୂଆ ବର୍ଷ ପାଇଁ ପ୍ରଶାସନ ପକ୍ଷରୁ ରାତ୍ରୀକାଳୀନ କର୍ଫ୍ୟୁ
ମଞ୍ଜୁରୀରୋଡ,(ଦୁର୍ଯ୍ୟୋଧନ ଲେଙ୍କା): କରୋନା ପାଇଁ ଇଂରାଜୀ ନବବର୍ଷ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ରାତି ୧୦ଟାରୁ ଶୁକ୍ରବାର ସକାଳ ୬ଟା ଯାଏ ଏହି ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜଣାଯାଇଛି । ଏଥିପାଇଁ ଭଣ୍ଡାରିପୋଖରୀ ପୁଲିସ ପକ୍ଷରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଡାକବାଜି ସାହାଯ୍ୟରେ ପ୍ରଚାର କରାଯାଇଛି । ଥାନା ଅଧିନ ସରସଦା, ମାଳଦା, ମଣିନାଥପୁର, ନପଙ୍ଗ, ରଣଜିତ, ବାଲିପୋଖରୀ, ଆଖୁଆପଦା, ଛତାବର, କୁଲଣା, ମଞ୍ଜୁରୀରୋଡ, ପାଟୁଳି, ନଗୁଁଆ ପ୍ରମୁଖ ଅଞ୍ଚଳରେ ଆଜି ଦିନ ତମାମ ରାତ୍ରୀ କର୍ଫ୍ୟୁ ପାଇଁ ଡାକବାଜି ପ୍ରଚାର କରାଯାଇଛି । କୌଣସି ସ୍ଥାନରେ ଭୋଜିଭାତ, ନୃତ୍ୟଗୀତ ଆୟୋଜନ କରିବାକୁ ବାରଣ କରାଯାଇଥିବାବେଳେ ଏହାକୁ ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।


