ନୂଆପୋଖରୀରେ ଚାଞ୍ଚଲ୍ୟ ;ଗଳାକାଟି ମହିଳାଙ୍କୁ ହତ୍ୟା , ସନ୍ଦିଗ୍ଧ ସ୍ୱାମୀ ଫେରାର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ନୁଆପୋଖରୀ ଠାରେ ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପ୍ରାପ୍ତ ଖବର ଅନୁଯାୟୀ ଗ୍ରାମର ନାରାୟଣ ମହାନ୍ତିଙ୍କ ପତ୍ନୀ ରାଧାରାଣୀ(୨୭)ସକାଳୁ ବାଡିପଟ ପୋଖରୀକୂଳରେ ପଡିଥିବା ସାହିପଡିଶା ଦେଖିବାକୁ ପାଇଥିଲେ । ପାଖକୁ ଯାଇ ଯାହା ଦେଖିଲେ ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ରାଧାରାଣୀଙ୍କ ଗଳାକୁ କେହି କାଟି ହତ୍ୟା କରିଥିବାବେଳେ ପେଟ ଓ ଅଣ୍ଟାରେ ମଧ୍ୟ ମାରଣାସ୍ତ୍ରରେ ଆଘାତ ଲାଗିଥିବା ଦେଖିଥିଲେ । ପୋଖରୀ କୂଳ ଠାରୁ ୫ହାତ ଦୂର ବାଉଁଶ ବୁଦାଯାଏଁ ରକ୍ତରେ ବୁଡି ଯାଇଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ଦିଆଯିବା ପରେ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଓ ସହକାରୀ ଅଧିକାରୀ ଅନୁରାଗ ମହାନ୍ତି ସଦଳବଳେ ସେଠାରେ ପହଞ୍ଚିଥିଲେ । ସାଇଣ୍ଟିଫିକ ଟିମ ସହ ପୁଲିସ ଉଚ୍ଚ ପଦାଧିକାରୀ ପହଞ୍ଚି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଏହାପରେ ପୋଲିସ ସମସ୍ତ ଦିଗକୁ ଛାନଭିନ କରିଥିବାବେଳେ ସନ୍ଧିଗ୍ଧ ସ୍ୱାମୀ ଫେରାର ଥିବା ଜାଣିବାକୁ ପାଇଥିଲେ । ମୃତକ ରାଧାରାଣୀଙ୍କ ବାପା ବିରଞ୍ଚି ନାରାୟଣ ସାହୁଙ୍କ ଅଭିଯୋଗ ଅନୁଯାୟୀ ୨୫/୨୧ରେ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି । ଏହା ସହିତ ଶାଶୂ ମାତାଜୀ(୬୦)କୁ ମଧ୍ୟ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବାବେଳେ ଏଥିରେ ଏକରୁ ଅଧିକ ବ୍ୟକ୍ତିଙ୍କ ସଂମୃକ୍ତି ଥାଇପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେଣୁ ଖବର ଲେଖାହେବା ଯାଏଁ ଥାନା ପକ୍ଷରୁ ହତ୍ୟାକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ଜଣାଯାଇଛି ।


