ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଉପରେ ଅସନ୍ତୋଷ୍ଟ ହୋଇ ଆନ୍ଦୋଳନ ଡାକିଲେ ୩୦ ପଚାଂୟତବାସୀ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ପାଣି ଭଳି । ନିରାମୟ ଯୋଜନାରେ ମାଗଣା ଔଷଧ, ଜନନୀ ସେବାରେ ଗର୍ଭବତୀ ମାଙ୍କୁ ୫ ହଜାର ଟଙ୍କା ମାଗଣାରେ ଚିକିତ୍ସା ଦିଆଯାଉଛି । ହେଲେ ଏହି ସବୁ ସୁବିଧାରୁ ବଂଚିତ ରହୁଛନ୍ତି ଦୁର୍ଗମ ଅଂଚଳର ଆଦିବାସୀ ବହୁଳ ଲୋକ । ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ରୂପେ ଦେଖାଯାଉଥିବା ବେଳେ ସେହି ଡାକ୍ତର ହିଁ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ଜାଗାରେ ଦୁର୍ବ୍ୟବହାର କରୁଛନ୍ତି । ଯାହାରି ଫଳରେ ରୋଗୀ ଅସନ୍ତୋଷ ହୋଇ ବେସରକାରୀ ମେଡିକାଲରେ ରୋଗ ଦେଖାଇ ପାରୁଛି ତ ନଚେତ ଗୁଣି ଗାରିଡି ଉପରେ ଭରସା କରି ମୃତ୍ୟୁ ବରଣ କରୁଛି । ଶେଷରେ ଗାଁ ଗାଁ ମଧ୍ୟରେ ହଣାକଟା ସୃଷ୍ଟି ହେଉଛି । ସରକାରଙ୍କ ଏଭଳି ସ୍ୱାସ୍ଥ୍ୟ ଯୋଜନା ଅପହଂଚ ପାଲଟିଛି ଚନ୍ଦ୍ରଗିରି ଅଂଚଳବାସୀଙ୍କ ପାଇଁ ଯାହାକି ବହୁତ ପୁରୁଣା ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାୟ ଗଜପତି ଜିଲ୍ଲାର ୨ଟି ବ୍ଳକ ନିର୍ଭର କରି ଆସୁଥିଲେ । ଧିରେ ଧିରେ ମୋହନାରେ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ବଢିବାରୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ର ଉପରୁ ଲୋକେ ଯିବା ବନ୍ଦ ହୋଇଗଲା । ହେଲେ ମଧ୍ୟ ପ୍ରାୟ ୩୦ଟି ପଂଚାୟତବାସୀ ବର୍ତମାନ ସୁଦ୍ଧା ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । ୧ ବର୍ଷ ହେଲା ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କିଶୋର ଚନ୍ଦ୍ର ବେହେରା ଦାୟିତ୍ୱଭାର ନେବାଠାରୁ ରୋଗୀଙ୍କୁ ଦୁବ୍ୟବହାର କରିବା ସହ ସାମାନ୍ୟ ଜର ଖାସ, ଗର୍ଭବତୀ ମାଙ୍କୁ ଅଳ୍ପ କିଛି ଯନ୍ତ୍ରଣା ହେଲେ ବ୍ରହ୍ମପରୁ ମେଡିକାଲକୁ ସ୍ଥାନାନ୍ତର କରିଦେଉଛନ୍ତି । ଏଭଳିକି ମେଡିକାଲରେ ଥିବା ବ୍ଳକ ଆକାଉଂଟ ଅଧିକାରୀ ବିଜୟ ଗୌଡ ମଧ୍ୟ କୋଭିଡ ସମୟରେ ବହୁ ଟଙ୍କା ହଡପ କରିବା ସହ ଗର୍ଭବତୀ ମାଙ୍କ ଟଙ୍କା ହଡପ କରିଛନ୍ତି । ମୋହନାରେ ଦାୟିତ୍ୱରେ ଥିବା ବେଳେ ଗର୍ଭବତୀ ମାଙ୍କ ବକେୟା ୧୫ ଶହ ଟଙ୍କା ଲେଖାଏଁ ୮୦ ଜଣଙ୍କର ଆତ୍ମସାତ କରି ଲୁଟି ନେଇଛନ୍ତି । ଏଭଳି ଅନ୍ୟଏକ ବ୍ୟକ୍ତି ସଂଗ୍ରାମ ଜେନା ରୋଗୀମାନଙ୍କୁ ଦୁବ୍ୟବହାର କରି କର୍ମଚାରୀ ମଧ୍ୟରେ ଫାଟକ ସୃଷ୍ଟି କରି ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଉଛନ୍ତି । ଏହି ୩ ଜଣଙ୍କ ନାମରେ ଚନ୍ଦ୍ରଗିରି ଅଂଚଳବାସୀ ଆଜକୁ ବର୍ଷେ ବିତିଗଲାଣି ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଛନ୍ତି କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କୌଣସି ସମାଧାନର ରାସ୍ତା ବାହାର ନ କରି ସେହି ୩ ଜଣଙ୍କ ଠାରୁ ମୋଟା ଅଙ୍କର ପିସି ନେଇ ସେମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଚୁଡଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅସ୍ଥାୟୀଭାବେ ସପ୍ତାହୁ କେ ୩ ଦିନ ନିଯୁକ୍ତି କରାଇଛନ୍ତି । ଏହାକୁ ଅଂଚଳବାସୀ ବିରୋଧ କରିଛନ୍ତି । ତୁରନ୍ତ ୭ ଦିନ ମଧ୍ୟରେ ମୋହନା ବ୍ଳକରୁ ସେମାନଙ୍କୁ ଅନ୍ୟ ବ୍ଳକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳୀ କରି ନିଆଯାଉ ନଚେତ ଆଗାମୀ ବୁଧବାର ଦିନ ୩୦ଟି ପଂଚାୟତର ଜନସାଧାରଣ ଚନ୍ଦ୍ରଗିରି ଠାରୁ ବ୍ରହ୍ମପୁର, ଚନ୍ଦ୍ରଗିରି ଠାରୁ ପାରଳାଖେମୁଣ୍ଡି, ଚନ୍ଦ୍ରଗିରି ଠାରୁ ମୋହନା ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬କୁ ଅବରୋଧ କରି ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।


