ନରେନ୍ଦ୍ରପୁର ଗ୍ରାମବାସୀଙ୍କ ସହ ବିଧାୟକଙ୍କ ଆଲୋଚନା
ଛତ୍ରପୁର,(ଦେବଦତ୍ତ ମହାରଣା) : ନରେନ୍ଦ୍ରପୁର ଗାଁରେ ଚାଲିଥିବା ମଡେଲ ହାଟ ବନ୍ଦ ରହିଥିଲା । ଏହି କାର୍ଯ୍ୟଗୁଡ଼ିକ ପୁନର୍ବାର କାମ ଆରମ୍ଭ କରିବା ଓ ହାଟକୁ ଆହୁରି ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ଆର୍ଥିକ ସହାୟତା, ଗୋଷ୍ଠୀ ଶୌଚାଳୟ, ନରେନ୍ଦ୍ରପୁର ଗ୍ରାମର ପାନୀୟଜଳ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ବରିଷ୍ଠ ନାଗରିକମାନଙ୍କ ସମସ୍ୟା, କଳାକାରମାନଙ୍କ ସମସ୍ୟା ନେଇ ବୁଧବାର ଗ୍ରାମ୍ୟ କମିଟି, ଗ୍ରାମ୍ୟ ପାନୀୟ ଜଳ କମିଟି, କଳାକାର ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଏବଂ ଗ୍ରାମର ମୁଖିଆମାନେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଂଚ ବାବୁଲା କୁମାର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ଲକ ପରିସରଥିବା ବ୍ଲକ ଅଧ୍ୟକ୍ଷ ପ୍ରକୋଷ୍ଠରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ପଣ୍ଡାଙ୍କୁ ଭେଟି ସମସ୍ତ ବିଷୟରେ ଆଲୋଚନା କରିଛନ୍ତି । ଛତ୍ରପୁର ବିଧାୟକ ଶ୍ରୀ ବେହେରା ଗ୍ରାମବାସୀଙ୍କ ସହ ମଡେଲ ହାଟ କିପରି ଖୁବଶୀଘ୍ର ହୋଇପାରିବ ଓ ଗ୍ରାମର ଯାହା ଯାହା ସମସ୍ୟା ରହିଛି ତାହାର କିପରି ସମାଧାନ ହୋଇପାରିବ, ସେଥିନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଉପସ୍ଥିତ ଥିବା ବ୍ଲକ ଅଧ୍ୟକ୍ଷ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ଏହି ଆଲୋଚନା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ରପୁର ସରପଂଚ ଶ୍ରୀ ବେହେରା, ଅବସରପ୍ରାପ୍ତ କର୍ଣ୍ଣେଲ ରାମଚନ୍ଦ୍ର ଗୌଡ଼, ଏସ.ଭାଗିରଥୀ ରେଡ୍ଡି, ସୁଦର୍ଶନ ପାତ୍ର, ପ୍ରଫୁଲ୍ଲ କୁମାର ବେହେରା, ପର୍ଶୁରାମ ଜେନା, କେ.ସଂଜୀବ ରେଡ୍ଡି, ନିରଞ୍ଜନ ସାହୁ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।


