କାନପୁରରେ ନବନିର୍ମାଣ କୃଷକ ସଂଗଠନର କିଷାନ ଦିଲ୍ଲୀଚଲୋ ଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଜାନୁୟାରୀ ୧୫ରୁ କୃଷି ବିରୋଧୀ କଳା କାନୁନ ରଦ୍ଦ ଦାବିରେ ଦିଲ୍ଲୀ ଅଭିମୁଖେ ବାହାରିଥିବା କୃଷକମାନଙ୍କୁ କାନପୁର ପୋଲିସ ରଘୁବୀର ଇଣ୍ଟର କଲେଜ ପରିସରରେ ରଖିଥିଲେ । ଏହି ସମୟରେ ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ ଏବଂ ଜୟପ୍ରକାଶ ଆନ୍ଦୋଳନର ଦୀନେଶଜୀ ଏବଂ ପୁତୁଲ ବେହେନ ଚାଷୀମାନଙ୍କୁ ସାକ୍ଷାତ୍ କରି ସେମାନଙ୍କୁ ନୈତିକ ସମର୍ଥନ ଜଣାଇଥିଲେ । ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ ଓଡ଼ିଶାର ଚାଷୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ମୋର ବନ୍ଧୁ ଅକ୍ଷୟ କୁମାର ବର୍ଷ ବର୍ଷ ଧରି କୃଷକମାନଙ୍କ ପାଇଁ ଓଡ଼ିଶାରେ ନିରବଚ୍ଛିନ୍ନ ଭାବରେ ସଂଘର୍ଷ ଚଳାଇଥିବା ମୁଁ ଦେଖିଛି ଏବଂ ସେଥିରେ ସାମିଲ ବି ହୋଇଛି । ଦିଲ୍ଲୀର ଆଖାପାଖ ଅଞ୍ଚଳର ଚାଷୀମାନେ ଦିଲ୍ଲୀରେ ଆନ୍ଦୋଳନ କରିବା ଓ ସୁଦୂର ବଙ୍ଗୋପସାଗର ସୀମାନ୍ତରୁ ଓଡ଼ିଶାର ଚାଷୀମାନେ ଦିଲ୍ଲୀ ଯିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଘଟଣା । ଓଡ଼ିଶାର ଚାଷୀମାନେ ଦିଲ୍ଲୀ ଆନ୍ଦୋଳନରେ ଭାଗ ନେବା ଓ ବାଟରେ ବିିଭିନ୍ନ ରାଜ୍ୟରେ ଚାଷୀଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ଚାଷୀ ଆନ୍ଦୋଳନର ମୋଡ଼ ବଦଳାଇବ ଓ ଚାଷୀମାନଙ୍କୁ ନୈତିକ ମନୋବଳ ଯୋଗାଇବ । ଆନ୍ଦୋଳନକାରୀମାନଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ନିଜ କର୍ମଭୂମି ଓଡ଼ିଶାର ଚାଷୀମାନଙ୍କୁ ଜନ୍ମଭୂମି କାନପୁରରେ ପାଇ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ସେ କହିଥିଲେ । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଲୋକ ସେବକ ମଣ୍ଡଳ ସମାଜ ସହ ନବନିର୍ମାଣ କୃଷକ ସଂଗଠନର ନିବିଡ଼ ସମ୍ପର୍କ ରହିଆସିଛି । ଦୀପକ ଜୀ ଚାଷୀ ଆନ୍ଦୋଳନକୁ ଉପସ୍ଥିତ ରହି ସମର୍ଥନ ଜଣାଇବା ଦ୍ୱାରା ଚାଷୀମାନଙ୍କର ମନୋବଳ ବୃଦ୍ଧି ପାଇବ ଓ ସେମାନେ ଆହୁରି ଉତ୍ସାହର ସହ ଦିଲ୍ଲୀ ଆନ୍ଦୋଳନରେ ନିଜର ପ୍ରଭାବ ବିସ୍ତାର କରିପାରିବେ ।


