ଆରଆଇଙ୍କୁ ମରଣାତ୍ମକ ଆକ୍ରମଣର ପ୍ରତିବାଦ ଗିରଫ ଦାବିରେ ୩ ସଂଘ ପକ୍ଷରୁ ବ୍ଳକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସମୁହ ଧାରଣା
ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅଧିନରେ କାର୍ଯ୍ୟ କରୁଥିବା ଏଆରଆଇ ସୁଶାନ୍ତ କୁମାର ସ୍ୱାଇଁ ମରିଚିପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଭାରପ୍ରାପ୍ତ ଆରଆଇ ଭାବେ ଦାୟିତ୍ୱରେ ଅଛନ୍ତି । ଗତ ୨୦ତାରିଖରେ ସରକାରୀ କାର୍ଯ୍ୟରେ ଯାଇଥିବା ବେଳେ ତାଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିଲା । ଆକ୍ରମଣ ସମୟରେ ବାଲିକୁଦା ତହସିଲଦାର ଓ ସୁପରଭାଇଜ ଉପସ୍ଥିତରେ ଥିଲେ । ଏ ସଂକ୍ରାନ୍ତରେ ଆସାମୀମାନଙ୍କ ବିରୁଦ୍ଧରେ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଥାନା ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାର ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ଶାଖାର ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ ଓ ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ନାଉଗାଁ ବ୍ଳକ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ କିରାଣି ସିଦ୍ଧାର୍ଥ ଦାସ, ବ୍ଲକ ଯୋଗାଣ ନିରୀକ୍ଷିକା ନିଳିମା ମହାନ୍ତି, କିରାଣୀ ସୁଶାନ୍ତ ବିଶ୍ୱାଳ, ବିଏସଏସଓ ଶ୍ରୀ ନିବାସ ବେହେରା, ବିପିନି ମହାନ୍ତି, ଅମୁଲ୍ୟ ବାରିକ, ମାନସ ରଂଜନ ସ୍ୱାଇଁ, ନିତ୍ୟାନନ୍ଦ ଖଣ୍ଡୁଆଳ, ହେମନ୍ତ ନାୟକ ପ୍ରମୁଖ ବସିଥିବା ବେଳେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ କିରାଣୀ ବିଜୟ କୁମାର ମଲ୍ଲିକ, ପ୍ରାଣକୃଣ୍ଣ ନାୟକ, ନାଜିର ବିଶ୍ୱମ୍ବର ମହାନ୍ତି, ନରେନ୍ଦ୍ର ଚୈଇନ୍, କିରାଣୀ ପ୍ରଦୀପ୍ତ ଦେସୁରୀ, ରଂଜନ ସିଂ,ରାଜସ୍ୱ ନିରୀକ୍ଷିକ ପ୍ରଭାସ ସ୍ୱାଇଁ, ଭଗବାନ ରାଉତ ପ୍ରମୁଖ ବସି ରହିଥିଲେ । ଆନ୍ଦୋଳନ ଯୋଗୁ ତହସିଲ ଓ ବ୍ଳକ କାର୍ଯ୍ୟାଳୟରେ କାର୍ଯ୍ୟ ସଂପୂନ୍ନ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି । ସଂଘର ଦାବି ମୁତାବକ ସୁଶାନ୍ତ ସ୍ୱାଇଁ ବାଲିକୁଦା ତହସିଲ ଅଧିନରେ କାର୍ଯ୍ୟ କରୁଥିବା ବେଳେ ସରକାରୀ କାର୍ଯ୍ୟରେ ତହସିଲଦାରଙ୍କ ସହ ଯାଇଥିଲେ । ସେହି ସମୟରେ ତାଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିଲା । ଏସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଥାନା ପକ୍ଷରୁ ଅଭିଯୁକ୍ତକୁ ଗିରଫ କରାଯାଉନାହିଁ । ଅଭିଯୁକ୍ତ ଆକ୍ରମଣ କରି ଖୁଲମଖୁଲା ବାହାରେ ବୁଲୁଥିବା ବେଳେ ପୋଲିସର କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି କରୁଛି । ଅଭିଯୁକ୍ତକୁ ଗିରଫ କରିବା ସହିତ ଆଇନାନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଏହି ତିନୋଟି ସଂଘର କର୍ମଚାରୀମାନେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ସୂଚନା ପ୍ରଦାନ କରିଛନ୍ତି ।


