ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଏସ୍‌ଏଚ୍‌ଜି ସଦସ୍ୟମାନଙ୍କ ପାଇଁ ପରିଦର୍ଶନ ଯାତ୍ରା ଆୟୋଜିତ

ଯୋଡା,(ସମୀର କୁମାର ଦାସ): ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ଦିନ ବିଛାକୁଣ୍ଡିଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗ୍ରୁପ୍‌ର ସଦସ୍ୟମାନଙ୍କ ପାଇଁ ‘ଛତୁ ଚାଷ’ ସମ୍ପର୍କିତ ଏକ ଦିନିକିଆ ପରିଦର୍ଶନ ଯାତ୍ରା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଯୋଡ଼ା ବ୍ଲକ୍ ଅନ୍ତର୍ଗତ ପଲସା କ ଓ ପଲସା ଖ ଗ୍ରାମର ୭ଟି ଏସ୍‌ଏଚ୍‌ଜିର ୨୪ଜଣ ସଦସ୍ୟ ବିଛାକୁଣ୍ଡିଠାରେ ଅବସ୍ଥିତ ସମଲେଶ୍ୱରୀ ‘ଛତୁ ଚାଷ ୟୁନିଟ୍‌’ ପରିଦର୍ଶନ କରିବା ସହିତ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ଶ୍ରୀ ପ୍ରଦୀପ୍ତ କୁମାର ମାନସିଂହ ଓ ଅଜହର ଅଲ୍ଲୀ ଏସ୍‌ଏଚ୍‌ଜି ସଦସ୍ୟମାନଙ୍କୁ ଛତୁ ଚାଷ ସମ୍ପର୍କିତ ବିଭିନ୍ନ ଦିଗ ଯଥା ଛତୁ ଚାଷର ମୌଳିକ ପଦ୍ଧତି, ଚାଷ ଆରମ୍ଭ କରିବା ପ୍ରକ୍ରିୟା, ଜଳ ପରିଚାଳନା ଓ ଆର୍ଦ୍ରତା ନିୟନ୍ତ୍ରଣ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହାସହିତ ବିଶେଷଜ୍ଞମାନେ ଅଂଶଗ୍ରହଣକାରୀମାନଙ୍କୁ ସ୍ଥାନୀୟ ଅଂଚଳରେ ଉପଲବ୍ଧ ଥିବା ବଜାର ସଂଯୋଗୀକରଣ ଉପରେ ସୂଚନା ପ୍ରଦାନ କରିଥିଲେ ।ଏସ୍‌ଏଚ୍‌ଜି ସଦସ୍ୟମାନଙ୍କୁ ନିଜର ଛତୁ ଚାଷ ୟୁନିଟ୍ ସ୍ଥାପନ ପାଇଁ ବୈଷୟିକ ଶିକ୍ଷା ଏବଂ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଏହି ପରିଦର୍ଶନ ଯାତ୍ରା ଓ ପ୍ରଶିକ୍ଷଣ ଅଧିବେସନର ଆୟୋଜନ କରାଯାଇଥିଲା । ଏହି ଅଂଚଳରେ ଏକ ଭଲ ଆୟର ସମ୍ଭାବନା ସୃଷ୍ଟି କରୁଥିବାରୁ ଛତୁ ଚାଷ ପ୍ରତି ମହିଳାମାନେ ଆଗ୍ରହ ପ୍ରକାଶ କରିଥିଲେ ।ଟାଟା ଷ୍ଟିଲ ମାଙ୍ଗାନିଜ ଖଣି ସମୂହର ମୁଖ୍ୟ ଶ୍ରୀ ଅମିତ କୁମାର ଦୁବେ ଅଂଶଗ୍ରହଣକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କୁ ଛତୁ ଚାଷ ଆରମ୍ଭ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ପ୍ରଶିକ୍ଷଣ ଓ ପରିଦର୍ଶନ ଯାତ୍ରା ସମାପ୍ତ ହେବା ପରେ ମହିଳାମାନେ ନିଜ ନିଜ ଗ୍ରାମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ବିଶେଷଜ୍ଞମାନଙ୍କ ନିରୀକ୍ଷଣରେ ଛତୁ ଚାଷ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ