ଭୂତକୋଠି ପାଲଟିଛି ରାଜସ୍ୱ ବିଭାଗ ଡାକବଙ୍ଗଳା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ସରକାରୀ ପ୍ରକଳ୍ପ ଗୁଡ଼ିକ ପ୍ରତି କାହାରି ନଜର ନାହିଁ। ସରକାର ଅବା ପ୍ରାଶାସନିକ ଅଧିକାରୀଙ୍କ ବେପରୁଆ ମନୋଭାବ ପାଇଁ ଅନେକ ପ୍ରକଳ୍ପ ଏବେ ଭୂତକୋଠି ପାଲଟିବାକୁ ଯାଉଛି । ସେଗୁଡ଼ିକର ପୁନରୁଦ୍ଧାର ପାଇଁ ବିଭିନ୍ନ ସ୍ତରରେ ଦାବି ହେଉଥିଲେ ହେଁ କୌଣସି ସୁଫଳ ମିଳିପାରୁ ନାହିଁ। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅଧୀନ ଗୋଚ୍ଛାପଡ଼ା ଅଞ୍ଚଳରେ । ଏହି ଅଞ୍ଚଳରେ ଇଂରେଜ ଅମଳରୁ ନିର୍ମିତ ରାଜସ୍ୱ ବିଭାଗ ଡାକବଙ୍ଗଳା ଏବେ ଭୂତକୋଠି ପାଲଟିଛି। କିଛିବର୍ଷ ପୂର୍ବେ ଜିଲ୍ଲା ପ୍ରଶାସନ ତରଫରୁ ଏହି ବଙ୍ଗଳାରେ କ୍ୟାମ୍ପ୍ କୋର୍ଟ ଆୟୋଜନ କରାଯାଇ ଜନସାଧାରଣଙ୍କ ସମସ୍ୟାର ଶୁଣାଣି କରାଯାଉଥିଲା । ଏଥିପାଇଁ ବଙ୍ଗଳାରେ ଜଣେ ସ୍ବତନ୍ତ୍ର ରାତ୍ରି ଜଗୁଆଳି ରହୁଥିଲେ । ପ୍ରତ୍ୟେକ ମାସରେ ତହସିଲଦାର ଜମିଜମା ବାବଦରେ କ୍ୟାମ୍ପ୍ କୋର୍ଟ କରି ସମସ୍ୟାର ସମାଧାନ କରୁଥିଲେ । ଏଥିସହିତ କୌଣସି ଅଫିସର କିମ୍ବା ମନ୍ତ୍ରୀ ଆସିଲେ ଏହି ଡାକବଙ୍ଗଳାରେ ବିଶ୍ରାମ କରୁଥିଲେ। କିନ୍ତୁ ଗତ ୨୦୧୨ ମସିହା ପରଠାରୁ ଏହି ବଙ୍ଗଳା ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏବେ ଭୂତକୋଠି ପାଲଟିଛି । ଗତବର୍ଷ ବଙ୍ଗଳାର ପାଚେରି ନିର୍ମାଣ କାମ ଆରମ୍ଭ ହୋଇଥିଲା କିନ୍ତୁ ତାହା ଏବେ ଅଧପନ୍ତରିଆ ଭାବେ ପଡ଼ିରହିଛି । ବଙ୍ଗଳା ଚାରିପାଖ ଅଳିଆ ଆବର୍ଜନାପୂର୍ଣ୍ଣ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ଅନ୍ୟପକ୍ଷରେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ବୋଲି ଫୁଲବାଣୀ ବିଧାୟକ ତହସିଲଦାରଙ୍କୁ ଫୋନ୍ ମାଧ୍ୟମରେ ଅବଗତ କରାଇଥିବା ଜଣାପଡ଼ିଛି। ଫିରିଙ୍ଗିଆ ତହସିଲଦାର ପୁନମ ରାଉତ ବଙ୍ଗଳାର ମରାମତି କାମ ସଂପର୍କରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।

Attachments area
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ