ମିଲର ଆସୁନାହାଁନ୍ତି ସମିତିରେ ପଡିରହିଛି ଧାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଏବେ ଖରିଫଧାନ କ୍ରୟ ବ୍ୟବସ୍ଥାରେ ବିଭିନ୍ନ ଅସୁବିଧା ଦେଖାଦେଇଛି । ପ୍ରଥମେ ସରସଦା ସମିତିରେ ଏନେଇ ଉତ୍କଟ ସମସ୍ୟା ଦେଖାଦେଇଥିବା ବେଳେ ଜଳମଣ୍ଡୁଆ ଓ ବାଲିପୋଖରୀ ସମିତିରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ମିଲର ନଆସିବା କାରଣରୁ ଜଳମଣ୍ଡୁଆ ଓ ବାଲିପୋଖରୀ ସମିତି ଅଧିନ ଚାଷୀମାନେ ଯୋଗାଣ ଅଧିକାରୀଙ୍କୁ ଭେଟି ବିଭିନ୍ନ ଆପତ୍ତି ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବାଲିପୋଖରୀ ସମିତି ସହିତ ଅନୁବନ୍ଧିତ ମିଲର ସହିତ ଅନ୍ୟ ମିଲରଙ୍କୁ ଧାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସପ୍ତାହରେ ଚାରିଦିନ ଧାନ କ୍ରୟ ପାଇଁ ବ୍ୟବସ୍ଥା ହୋଇଥିଲା । ଏବେ ନାଆମୀ ସେବା ସମବାୟ ସମିତି ଠାରେ ସମାନ ଅବସ୍ଥା ଦେଖାଦେଇଛି । ଏଠାରେ ଚଳିତବର୍ଷ ୮୨୨ଜଣ ଚାଷୀ ଧାନକ୍ରୟ ପାଇଁ ନାମ ପଞ୍ଜିକୃତ କରିଥିବାବେଳେ ମିଲର ନଆସିବା କାରଣରୁ ଚାଷୀମାନେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ମାତ୍ର ଅଳ୍ପ କେତେଜଣ ଚାଷୀ ଧାନ ବିକ୍ରୟ କରିଥିଲେ ସୁଦ୍ଧା ଅନ୍ୟ ଚାଷୀମାନେ ଏବେ ସମିତିରେ ଧାନ ରଖି ମିଲରକୁ ଅନାଇ ବସିଛନ୍ତି । ଧାନକ୍ରୟ ପାଇଁ ସମିତିକୁ ଟାର୍ଗେଟ ଦିଆଯାଇଥିବାବେଳେ ସଂଯୁକ୍ତ ମିଲରଙ୍କ ମନମାନୀ ଯୋଗୁ ଚାଷୀମାନେ ଦିନରାତି ଖରା କାକରରେ ଧାନକୁ ଜଗି ରହିଛନ୍ତି । ଏବିଷୟରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଖୁବଶୀଘ୍ର ଅନୁବନ୍ଧିତ ମିଲରଙ୍କୁ ବାଦଦେଇ ସ୍ଥାନୀୟ ଅଞ୍ଚଳର ମିଲ ଯାଇ ଧାନ ଉଠାଇବ ବୋଲି କହିଛନ୍ତି ।