ନିର୍ବାଚନ ପରିଚାଳନା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
୨୫ ହଜାରରୁ ଉଦ୍ଧ୍ୱର୍ ବିଭିନ୍ନ ରାଜନୈତିକ ଦଳର ପୋଷ୍ଟର ଓ ହୋଡିଂ ଉଚ୍ଛେଦ,
ମତଦାନ ବେଳେ ୪୮ , ୮୪୬ ଦିବ୍ୟାଙ୍ଗ ଭୋଟର ପାଇଁ ୧୦୫୩ ଟି ଯାନବାହାନ ବ୍ୟବସ୍ଥା,
ନିର୍ବାଚନ ଖର୍ଚ୍ଚ ନିରୀକ୍ଷଣ କରିବା ପାଇଁ ୫ ଜଣ ଏକ୍ସପେଣ୍ଡିଚର ଓବଜରଭର,
ପ୍ରତ୍ୟେକ ବିଧାନସଭା ପାଇଁ ଗୋଟିଏ ଲେଖାଁଏ ପିଙ୍କ୍ ବୁଥ୍,
ଛତ୍ରପୁର : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ ଜିଲ୍ଲାର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଗୋଟିଏ ଲେଖାଏଁ ଏହିପରି ୧୩ ଟି ପିକ୍ ବୁଥ୍ ରହିବ । ଯାହାକୁ କେବଳ ମହିଳା ପୁଲିଂ ଅଧିକାରୀ ମାନେ ପରିଚାଳନା କରିବେ । ଏଥିପାଇଁ ମହିଳା ପୁଲିଂ ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇ ସାରିଛି । ଏଥି ସହିତ ୧୧ଟି ମୋଡେଲ ବୁଥ୍ ର ବ୍ୟବସ୍ଥା କରାଯାଇଛି । ଏହି ମୋଡେଲ ବୁଥ୍ ଗୁଡିକରେ ଭୋଟର ମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରାଯିବ । ଏହାଦ୍ୱାରା ଭୋଟର ମାନେ ସ୍ୱତନ୍ତ୍ର ଅନୁଭବ କରିବା ସହିତ ଭାରତୀୟ ଗଣତାନ୍ତ୍ରିକ ପ୍ରଦ୍ଧତି ଉପରେ ଗର୍ବ ଅନୁଭବ କରିବେ । ଜିଲ୍ଲାରେ ଥିବା ୪୮୮୪୬ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ୧୦୫୩ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି । ଏହି ଗାଡି ଗୁଡିକ ସାହାର୍ଯ୍ୟରେ ଦିବ୍ୟାଙ୍ଗ ଭୋଟର ମାନଙ୍କୁ ସେମାନଙ୍କ ଘରୁ ପୁଲିଂ ବୁଥ୍ ପର୍ଯ୍ୟନ୍ତ ନେବା ଆଣିବାର ବ୍ୟବସ୍ଥା କରାଯିବ । ସଂଯୋଜକ ମାନେ ଏହାର ସୁବ୍ୟବସ୍ଥା କରିବେ । ଜିଲ୍ଲା ଅଫିର କଂଟ୍ରୋଲରୁମ୍ ରେ ଦିବାରାତ୍ର ଭୋଟର ସହାୟତାକେନ୍ଦ୍ର କାର୍ଯ୍ୟ କରୁଛି । ୧୯୫୦ ଡାଏଲ କରି ଭୋଟର ମାନେ ସାହାର୍ଯ୍ୟ ଗ୍ରହଣ କରିପାରିବେ ଓ ଅଭିଯୋଗ ମଧ୍ୟ କରିପାରିବେ । ପ୍ରତ୍ୟେକ ବୁଥ୍ ରେ ଗୋଟିଏ ଭୋଟର ହେଲପ୍ ଡେସ୍କ ର ବ୍ୟବସ୍ଥା ରହିଛି । ଯେଉଁଠି ବରିଷ୍ଠନାଗରିକ, ଦିବ୍ୟାଙ୍ଗ ଓ ଦୁର୍ବଳ ଭୋଟର ମାନଙ୍କୁ ସାହାର୍ଯ୍ୟ କରିବାପାଇଁ ନୀରପେକ୍ଷ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ସମସ୍ତ ୩୦୬୩ ବୁଥ୍ ଗୁଡିକୁ ର୍ୟାମ୍ପ , ପାଇଖାନା, ପାନୀୟଜଳ ଓ ବିଦ୍ୟୁତ୍ ଭଳି ନିଶ୍ଚିତ ସର୍ବନିମ୍ମ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଭଳି ଘଟଣାକୁ ଦୃଷ୍ଟିରେ ରଖି ବୁଥ୍ ଗୁଡିକରେ ମଧ୍ୟ ପାକ୍ ପ୍ରସ୍ତୁତି କରାଯିବ । ବୁଥ୍ ଗୁଡିକରେ ଆବଶ୍ୟକ ଔଷଧ , ଓ.ଆର.ଏସ ପ୍ୟାକେଟ୍ ମହଜୁଦ ରହିବ । କରିତ୍ ଡାକ୍ତରୀ ଦଳ ଏଭଳି ଘଟଣାର ମୁକାବିଲା ପାଇଁ ସଦା ପ୍ରସ୍ତୁତ ରହିବେ । ଚଳିତ ମାସ ୨୩ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରିଜାଇଡିଂ ଓ ଫାଷ୍ଟ ପୁଲିଂ ଅଫିସର ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ୧୦୯ଜଣ ମାଷ୍ଟର ଟ୍ରେନର ୨୭୦୦ପୁଲିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି । ନିର୍ବାଚନ ନୀରିକ୍ଷଣ ପାଇଁ ୫ଜଣ ଏକ୍ସପେଣ୍ଡିଚର ଓବଜର୍ଭର ଜିଲ୍ଲାରେ ପହଚିଂ ସାରିଛନ୍ତି । ସେମାନଙ୍କ ସହ ୧୩ଜଣ ଆସିଷ୍ଟାଣ୍ଡ ଏକ୍ସପେଣ୍ଡିଚର ଓବଜର୍ଭର , ୧୩ଟି ଆକାଉଟିଂ ଟିମ୍. ୩୯ଟି ଫ୍ଲାଇଙ୍ଗ୍ ସ୍କାର୍ଡ ଟିମ, ୩୯ ଟି ଷ୍ଟାଟିକ୍ ସଭେଲାନ୍ସ ଟିମ୍ , ୩୯ ଟି ଭିଡିଓ ସର୍ଭେଲାନ୍ସ ଟିମ୍ , ୧୩ଟି ଭିଡିଓ ଭିୟୁଇଙ୍ଗ ୍ ଟିମ୍ ନିୟୋଜିତ ହୋଇଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ବ୍ୟାପକ ଅବକାରୀ ଚଢାଉ ଜାରି ରହିଛି । ବ୍ରହ୍ମପୁର ଅବକାରୀ ଜିଲ୍ଲାରୁ ୩୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୨ଜଚ୍ଚଙ୍କୁ ଗିରଫ କରାଯାଇଛି । ୧୨୬୯.୫ ଲିଟର ଆଇଡି ଲିକର , ୨୩୮୫୦ ଲିଟର ୱାସ, ୯.୫୪ଲିଟର ଆଇଏମଏଫ୍ ଏଲ , ୨୩.୪୦୦ଲିଟର ବିୟର , ୨୯.୮୦୦ଲିଟର ଓଏସ୍ ଲିକର, ୪୮କିଲୋ ଗଂଜେଇ , ୪୦ଲିଟର ତରି ଜବତ କାରଯାଇ ନଷ୍ଟ କରାଯାଇଛି । ସେହିପରି ଗଂଜାମ ଅବକାରୀ ଜିଲ୍ଲା ଅଧୀନରେ ୫୫ଟି ମାମଲା ରୁଜୁ ହେବା ସହ ୪୬ଜଚ୍ଚଙ୍କୁ ଗିରଫ କରାଯାଇଛି । ଏଥିସହିତ ୩୫୫୬୬ ଲିଟର ଆଇଡି ଲିକର, ୨୬୬୦୦ଲିଟର ୱାସ, ୭୨ଲିଟର ଓଏସ୍ ଲିକର, ୧୮.୭ଲିଟର ଆଇଏମ୍ ଏଫଏଲ , ୩୦ଲିଟର ତରି , ୩୫କିଲୋ ଗଂଜେଇ ଓ ୫ଟି ମୋଟର ସାଇକେଲ ଜବତ କରାଯାଇଛି । ଆଦର୍ଶ ଆଚରଣବିଧି ଲାଗୁ ହେବା ଠାରୁ ଆଜି ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ୨୩୧୭୬ ପୋଷ୍ଟର , ବ୍ୟାନର , ହୋଡିଂ,ୱାଲ ପେଟିଂ ହଟାଯାଇଥିବା ବେଳେ ଏବଂ ଘରୋଇ ସ୍ଥାନ ଅଂଚଳ ଗୁଡିକରେ ବିଭିନ୍ନ ରାଜନୈତିକ ଦଳର ପ୍ରାୟ ୨ହଜାରରୁ ଅଧିକା ବ୍ୟାନର, ପୋଷ୍ଟର, ହୋଡିଂ ଏବଂ ୱାଲ୍ ପେଟିଂ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛି ।
ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଓ ଆସିକା ଲୋକସଭା ଏବଂ ୧୩ ଟି ବିଧାନସଭା ଆସନ ପାଇଁ ଅପ୍ରିଲ ୧୧ ଏବଂ ୧୮ ତାରିଖ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଆଜି ସୁଦ୍ଧା ୨ ଟି ଲୋକସଭା ଆସନ ଏବଂ ୫ ଟି ବିଧାନସଭା ଆସନ ପାଇଁ ମୋଟ ୧୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସିକା ଲୋକସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଚକ୍ରଧର ସାହୁ ଓ ସିପିଆଇ(ଏମ୍ଏଲ୍)ର ଶଙ୍କର ସାହୁ ଏବଂ ବ୍ରହ୍ମପୁର ଲୋକସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ କେ.ଶ୍ୟାମବାବୁ ସୁବୁଦ୍ଧି, ବିଜେଡିରୁ ଚନ୍ଦ୍ରଶେଖର ସାହୁ, ସୋସିଆଲିଷ୍ଟ ୟୁନିଟ୍ ସେଂଟର ଅଫ୍ ଇଣ୍ଡିଆ(କମ୍ୟୁନିଷ୍ଟ)ର ପ୍ରାର୍ଥୀଭାବେ ସୋମନାଥ ବେହେରା ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଚକ୍ରଧର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ହିଞ୍ଜିଳି ବିଧାନସଭା ଆସନ ପାଇଁ ବିଜୁ ଜନତାଦଳରୁ ନବୀନ ପଟ୍ଟନାୟକ ଓ ସୋସିଆଲିଷ୍ଟ ୟୁନିଟ୍ ସେଂଟର ଅଫ୍ ଇଣ୍ଡିଆ(କମ୍ୟୁନିଷ୍ଟ)ର ପ୍ରାର୍ଥୀ ଡି.ତ୍ରିପତି ଦୋରା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ସୁମିତ୍ ପାତ୍ର, ଅବନୀ କୁମାର ଗୟା, ଜୀବନ ପାତ୍ର ଓ ଶିବାନୀ ଶଙ୍କର ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଭଞ୍ଜନଗର ବିଧାନସଭା ଆସନ ପାଇଁ ଜଣେ ମାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ବିରେନ୍ଦ୍ର ଗୌଡ, ଗୋପାଳପୁର ବିଧାନସଭା ଆଶନ ପାଇଁ କଂଗ୍ରେସରୁ ଏସ୍.ଧର୍ମରାଜୁ ରେଡ୍ଡି, ସ୍ୱାଧୀନ ପ୍ରାର୍ଥୀ ଭାବେ ବିଶ୍ୱ ବିହାରୀ ବିଷୋୟୀ ଓ ପି.ଶିବ ପ୍ରସାଦ ରେଡ୍ଡି ଏବଂ ଚିକିଟି ବିଧାନସଭା ଆସନ ପାଇଁ ବିଜୁ ଜନତାଦଳରୁ ଉଷାଦେବୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ବ୍ରହ୍ମପୁର ଲୋକସଭା ଆସନ, ଛତ୍ରପୁର, ବ୍ରହ୍ମପୁର, ଗୋପାଳପୁର, ଦିଗପହଣ୍ଡି ଓ ଚିକିଟି ବିଧାନସଭାରେ ଅପ୍ରିଲ ୧୧ ତାରିଖ ନିର୍ବାଚନ ପାଇଁ ମାର୍ଚ୍ଚ ୨୫ ତାରିଖ ପ୍ରାର୍ଥୀ ପତ୍ର ଦାଖଲ ଶେଷ ଦିନ ରହିଥିବା ବେଳେ ଆସିକା ଲୋକସଭା, ଭଞ୍ଜନଗର, ଆସିକା, ହିଞ୍ଜିଳି, ପୋଲସରା, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ସୋରଡା, ସାନଖେମୁଣ୍ଡି ବିଧାନସଭା ଆସନରେ ଅପ୍ରିଲ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୬ ତାରିଖ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତସେଠୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଡ. ବିଜୟାନନ୍ଦ ସେଠୀ , ଚିକିଟି ଅତିରିକ୍ତ ତହସିଲଦାର ଶକ୍ତି ପ୍ରସାଦ ଶ୍ରୀଚନ୍ଦନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଂଚି ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


