ବନେଇକଳା ମୌଜାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନିମନ୍ତେ ଜନଶୁଣାଣୀ;ଆହୂତ ୱାର୍ଡସଭାକୁ ୱାର୍ଡବାସୀଙ୍କ ସମର୍ଥନ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ଅଧୀନସ୍ତ ୨ ନଂ ୱାର୍ଡରେ କେମ୍ୟୁନିଟି ସେଣ୍ଟର (ଗୋଷ୍ଠୀ କେନ୍ଦ୍ର) ନିର୍ମାଣ ନିମନ୍ତେ ଆହୂତ ୱାର୍ଡସଭାକୁ ସ୍ଥାନୀୟ ଅଂଚଳର ୱାର୍ଡବାସୀ ପୂର୍ଣ୍ଣମାତ୍ରାରେ ସମର୍ଥନ କରିଥିବା ଖବର ହସ୍ତଗତ ହୋଇଛି । ଜିଲ୍ଲା ପ୍ରଶାସନ ଓ ଯୋଡା ପୌରପରିଷଦ ମିଳିତ ଆନୁକୂଲ୍ୟରେ ଯୋଡା ପୌରପାଳିକା ୨ନଂ ୱାର୍ଡ ବନେଇକଳା ବସ୍ତି କୀର୍ତ୍ତନ ମଣ୍ଡପ ଠାରେ ବୁଧବାର ପୂର୍ବାହ୍ଣରେ ଅନୁଷ୍ଠିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଶତାଧିକ ୱାର୍ଡବାସୀ ଉପସ୍ଥିତ ରହି ସେମାନଙ୍କ ମତାମତ ସାବ୍ୟସ୍ତ କରିଥିବାର ଖବର ମିଳିଛି । ଯୋଡା ସହରାଞ୍ଚଳର ଗୋଷ୍ଠୀ କେନ୍ଦ୍ରର ପରିଯୋଜନା ନିମନ୍ତେ ଆବଶ୍ୟକ ବନେଇକଳା ମୌଜାର ୟୁନିଟ୍-୦୧ ଅନ୍ତର୍ଗତ ପ୍ଲଟ୍ ନମ୍ବର ଖାତା ନଂ ୨୨୬,ପ୍ଲଟ ନଂ ୭୭୬,ଏ.୧.୦୫ ଡିସମିଲ ଏବଂ ଖାତା ନଂ ୨୨୬, ପ୍ଲଟ ନଂ ୭୮୨,ଏ୦.୭୦୮ ଡିସମିଲ ଅଧିଗ୍ରହଣ ନିମନ୍ତେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମକୁ ପରିବର୍ତ୍ତନ ନିମନ୍ତେ ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ଆହୂତ ହୋଇଥିଲା । ୨ ନଂ ୱାର୍ଡରେ ଏକ କମ୍ୟୁନିଟି ସେଣ୍ଟର ନିମନ୍ତେ ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦାବି ହୋଇଆସୁଥିବା ବେଳେ ବୁଧବାର ଏହାର କିସମ ପରିବର୍ତ୍ତନ ନିମନ୍ତେ ଜନଶୁଣାଣୀ ଆୟୋଜନ ହୋଇ ସମ୍ପୂର୍ଣ୍ଣ ଭାବରେ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଡା ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଯୋଡା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସୁଲତା ପ୍ରଧାନ, ପୌରପାଳିକା ନିର୍ବାହୀ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତ, ପୌରପାଳିକା ନଗର ସ୍ୱାସ୍ଥ୍ୟ ଅଧିକାରୀ ପ୍ରତାପ ନାଏକ, ପୂର୍ବତନ କାଉନସିଲର ଶ୍ରୀକାନ୍ତ ସାମନ୍ତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ ୱାର୍ଡସଭାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ୱାର୍ଡବାସୀ ନିଜ ନିଜର ସ୍ୱିକୀୟ ମତାମତ ଉପସ୍ଥାପନ କରି ପରିକଳ୍ପିତ ଗୋଷ୍ଠୀ କେନ୍ଦ୍ର ପ୍ରକଳ୍ପ ନିମନ୍ତେ ସହମତି ପ୍ରକାଶ କରି ସମର୍ଥନ ପ୍ରକାଶ କରିଥିଲେ ।


