ଜଷ୍ଟିସ୍ ବବ୍ଡ଼େ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଂଜନ ଗୋଗଇ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଏସ୍ ଏ ବବ୍ଡ଼େଙ୍କ ନାମ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିସ କରିଛନ୍ତି । ଗୋଗଇ ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଏକ ଚିଠି ଲେଖି ଜଷ୍ଟିସ୍ ଏସ୍ ଏ ବବ୍ଡ଼େଙ୍କ ନାମ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରସି କରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ୨୦୧୮ ଅକ୍ଟୋବର ୩ ରେ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ଗୋଗଇ ଆସନ୍ତା ନଭେମ୍ବର ୧୭ ତାରିଖରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ । ଏହାପରେ ନଭେମ୍ବର ୧୮ ତାରିଖରେ ଜଷ୍ଟିସ୍ ବବ୍ଡ଼େ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ପରମ୍ପରା ଅନୁଯାୟୀ ପ୍ରଧାନ ବିଚାରପତି ହିଁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସରକାରଙ୍କୁ ସୁପାରିସ କରିଥାନ୍ତି । ଜଷ୍ଟିସ୍ ଗୋଗଇଙ୍କ ପରେ ଜଷ୍ଟିସ୍ ବବ୍ଡ଼େ ଦ୍ୱିତୀୟ ବରିଷ୍ଠତମ ବିଚାରପତି ହୋଇଥିବାରୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଗୋଗଇ ତାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି । ୬୩ ବର୍ଷୀୟ ବବ୍ଡ଼େ ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଥିଲେ । ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ମୁମ୍ବାଇ ଏବଂ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ନାଗପୁରର ଚାନ୍ସଲର୍ ଥିଲେ । ଜଷ୍ଟିସ୍ ବବ୍ଡ଼େ ଏପ୍ରିଲ ୨୩, ୨୦୨୧ରେ ଅବସର ଗ୍ରହଣ କରିବେ ।


