ଚୋରା ଲୁହାପଥର କାରବାରରେ ପରିବହନ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍
ଯୋଡା, (ସମୀର କୁମାର ଦାସ):ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଅସେଇଁକଳା ଠାରେ ବଡବିଲ ରେଞ୍ଜ ପକ୍ଷରୁ ଚଢାଉ କରାଯାଇ ଚୋରାଚାଲାଣ ହେଉଥିବା ୫ଟି ଲୁହାପଥର ବୋଝେଇ ଡମ୍ପରକୁ ଜବତ କରିଥିଲା । ବିପୁଳ ପରିମାଣର ଲୁହାପଥର ମଧ୍ୟ ଜବତ ହୋଇଥିଲା । ବନବିଭାଗ ପକ୍ଷରୁ ଆର୍ଟିଓ ଙ୍କ ସହିତ ଯୋଗାଯୋଗ କରି ଉକ୍ତ ଡମ୍ପର ଗୁଡିକର ସବିଶେଷ ତଥ୍ୟ ମିଳିଛି । ତେଣେ ଖଣିବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଯୋଡା ଖଣି ଯୁଗ୍ମ ନିର୍ଦେଶକ ସଲିଲ କୁମାର ବେହେରା କହିଛନ୍ତି ଯେ, ଏହି ଲୁହାପଥର ନୁଆଗାଁ ଖଣିରୁ ଲୁହାପଥର ବୋଝେଇ କରି ଗନ୍ତବ୍ୟସ୍ଥଳକୁ ଯିବା ପରିବର୍ତେ ବେଆଇନ ଭାବେ କଣ୍ଡରା, ଅସେଇଁକଳା ରାସ୍ତାଦେଇ ଝାଡଖଣ୍ଡ ଅଭିମୁଖେ ଚୋରା ଚାଲାଣ ହେଉଥିବା ବେଳେ ବନବିଭାଗ ଜବତ କରିଥିଲା । ଏଣୁ ନୁଆଗାଁ ଖଣିର ପରିବହନକାରୀ ସଂସ୍ଥା ଏସ୍କେ ଟ୍ରାନ୍ପୋର୍ଟ ଓ ଲିଲି ଟ୍ରାନ୍ସପୋର୍ଟ କୁ ଯୋଡା ଖଣି ଯୁଗ୍ମ ନିର୍ଦେଶାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଯୁଗ୍ମ ନିର୍ଦେଶକ ବେହେରା କହିଛନ୍ତି । ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣିରୁ ପରିବହନ ହେଉଥିବା ଅତି ମୂଲ୍ୟବାନ ଉନ୍ନତମାନର ଲୁହାପଥରକୁ ଚନ୍ଚକତା କରି ଗନ୍ତବ୍ୟସ୍ଥଳରେ ନ ପହଁଚାଇ ଅନ୍ୟତ୍ର ଚୋରା ଚାଲାଣ କରିଦିଆଯାଉଛି । ଏଥିରେ କିଛି ଅସାଧୁ ପରିବହନକାରୀ ସଂସ୍ଥା ସମ୍ପୃକ୍ତ ଥିବା ବେହେରା କହିଛନ୍ତି । ଏମାନଙ୍କୁ ଚିହ୍ନଟ କରାଯାଇ ପ୍ରଥମେ କାରଣ ଦର୍ଶାଅ ନୋଟିସ୍ ଏବଂ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ଏହି ଚୋରା କାରବାର ଘଟଣା ପଦାକୁ ଆସିବାପରେ ବନବିଭାଗ, ଖଣିବିଭାଗ ଏବଂ ପୋଲିସ୍ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ପ୍ରକାଶଯୋଗ୍ୟ କି ଗୁରୁବାର ବିଳମ୍ବିତ ରାତିରେ ବନବିଭାଗ ଓ ଯୋଡା ପୋଲିସ୍ ମିଳିତ ଉଦ୍ୟମରେ ଚଢାଉ କରି ୫ଟି ଚୋରା ଲୁହାପଥର ବୋଝେଇ ଡମ୍ପରକୁ ଜବତ କରାଯାଇଥିଲା ।


