ଜିଲ୍ଲା ପରିଷଦ କମିଟିର ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତା ପରିଦର୍ଶନ

ହ।ଟଡ଼ିହି, (ବିକାଶ ବିଶ୍ୱାଳ):ଜିଲ୍ଲାପରିଷଦ ୱାର୍କସ କମିଟି ହାଟଡିହି ବ୍ଲକର ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟର ପୁନଃ ପରିଦର୍ଶନ କରିଛି । ଏହି ରାସ୍ତାନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୧୫କୋଟି ୭୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ଦୀର୍ଘ ୧୯କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ଏସ.କେ.ଏମ ଇନଫ୍ରାଭେଞ୍ଚର ନାମକ ଏକ ଠିକାସଂସ୍ଥା ଏହିକାମ କରୁଥିବାବେଳେ ଧାର୍ଯ୍ୟ ସମୟରେ କାମ କରିନଥିଲେ । ଯେତିକି ବି କାମ କରିଥିଲେ ତାହା ଅତି ନିମ୍ନମାନର ହୋଇଥିବାରୁ ଦିନ କେଇଟା ମଧ୍ୟରେ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ସହ ପୁର୍ବାବସ୍ଥାକୁ ଫେରି ଆସିଥିଲା । ଏନେଇ ସ୍ଥାନୀୟ ଲୋକମାନେ ଅନେକବାର ବିରୋଧ କରିବା ସହ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବାପରେ ଜିଲ୍ଲାପରିଷଦ ବୈଠକରେ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ଏକ କମିଟି ମାଧ୍ୟମରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପୁର୍ବରୁ ଜିଲ୍ଲାପରିଷଦର ୱାର୍କସ କମିଟି ଦୁଇ ଦୁଇଥର ଏହି ରାସ୍ତାକାମ ପରିଦର୍ଶନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । କିନ୍ତୁ ସଂପୃକ୍ତ ଠିକା ସଂସ୍ଥା କିଛି ଦିନ ମଧ୍ୟରେ ରାସ୍ତାକାମ ଠିକ ଭାବେ କରିବ ବୋଲି ସେତେବେଳେ କହିôତଲେ ବି ଆଜି ପର୍ଯ୍ୟନ୍ତ ରାସ୍ତାର କୌଣସି ପରିବର୍ତ୍ତନ ହୋଇ ନଥିବା ଅଭିଯୋଗ ହୋଇଥିଲା । ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାପରିଷଦର ୩ନଂ କମିଟିର ଅଧ୍ୟକ୍ଷ ଅକ୍ଷୟ ସାହୁ, ସଦସ୍ୟା ଡଲି ପାତ୍ର, ଜୟାପ୍ରଦା ସା, ମାନସ କୁମାର ବେହେରା ପ୍ରମୁଖ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ହୋଇଥିବା ରାସ୍ତା ନିର୍ମାଣ କାର୍ଯ୍ୟର ପୁନଃ ସମୀକ୍ଷା କରିଛନ୍ତି । କିଛି ସ୍ଥାନରେ ଡବ୍ଲ୍ୟୁଏମଏମ ପକାଯାଇ ଖାଲ ପୋତାଯାଇଥିଲେବି ଅଧିକାଶଂ ସ୍ଥାନରେ ଖାଲଖମା ହୋଇ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଥିବା ଦେଖିଥିଲେ । ଏହି କମିଟି ସହିତ ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ , ଆର.ଡି ବିଭାଗର ନିର୍ବାହୀଯନ୍ତ୍ରୀ ସରୋଜ ଦଣ୍ଡପାଟ, ଡିଆରଡିଏର ନିର୍ବାହୀଯନ୍ତ୍ରୀ ମାନସ ଦାସ, ଜଳସମ୍ପଦ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ନାୟକ, କନିଷ୍ଠଯନ୍ତ୍ରୀ ସୂର୍ଯ୍ୟମଣୀ ସାମଲ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ପ୍ରଣତୀ ଦେଓ ପ୍ରମୁଖ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ଯାଇ ରାସ୍ତାର ଅବସ୍ଥାକୁ ନିଜ ଆଖିରେ ଦେଖିବା ସହିତ ଗୋଟିଏ ସ୍ଥାନ ପୋତା ଯାଉଥିବାବେଳେ ଆଉ ଦୁଇଟି ସ୍ଥାନରେ ଖାଲ ହେଉଥିବା ଦେଖିବାକୁ ପାଇଥିଲେ । ବିଶେଷକରି ଏହାର ସବବେସ ଠିକ ହୋଇନଥିବାରୁ ରାସ୍ତାର ଅବସ୍ଥା ଏପରି ହୋଇଯାଉଥିବା ନେଇ କମିଟି ସନ୍ଦେହ ପ୍ରକଟ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ