ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଙ୍ଘ ପକ୍ଷରୁ ପୁନଃନିଯୁକ୍ତି ଦାବିରେ ଏଡିଏମଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଙ୍ଘ ତଥା ହାଇସ୍କୁଲ କମ୍ପ୍ୟୁଟର ଶିକ୍ଷକମାନଙ୍କ ପକ୍ଷରୁ ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୨୦୧୪ମସିହା ଫେବୃୟାରୀମାସ ୧୩ତାରିଖରେ ସରକାରଙ୍କ ଆଇ.ସି.ଟି.ସ୍କୁଲ(ଇ.ବିଦ୍ୟାଳୟ) ପ୍ରକଳ୍ପର ଆରମ୍ଭ କରାଯାଇ ରାଜ୍ୟର ୪ହଜାର ହାଇସ୍କୁଲରେ ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଙ୍ଘ ତଥା ହାଇସ୍କୁଲ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ୨୦୩ଟି ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷକଙ୍କୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସେହି ଶିକ୍ଷକମାନଙ୍କ ଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀ କମ୍ପ୍ୟୁଟର ଜ୍ଞାନ ଆହାରଣ କରୁଥିଲେ । କିନ୍ତୁ ଗତ ୨ବର୍ଷ ଧରି ସେହି ଶିକ୍ଷକମାନଙ୍କୁ ଛଟେଇ କରାଯିବା ପରେ ପ୍ରତି ସ୍କୁଲରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପ୍ରାୟ ୧୨ଲକ୍ଷ ଟଙ୍କାର କମ୍ପ୍ୟୁଟର, ଉପକରଣ ଓ ଲ୍ୟାବ ଖତ ଖାଉଥିବା ବେଳେ ସ୍କୁଲର ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷାରୁ ବଂଚିତ ହୋଇଥିବା ଦେଖାଯାଇଛି । ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ୨୦୩ଟି ସ୍କୁଲରେ ମଧ୍ୟ ପ୍ରାୟ ୨୪ କୋଟି ଟଙ୍କାର କମ୍ପ୍ୟୁଟର, ଉପକରଣ ଓ ଲ୍ୟାବ ବ୍ୟବହାର କରାନଯିବାରୁ ନଷ୍ଟ ହେବାକୁ ବସିଛି । ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ପାଇଁ କୈାଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ କି କୈାଣସି ଶିକ୍ଷକ ମଧ୍ୟ କମ୍ପ୍ୟୁଟର ଶିକ୍ଷାରେ ପାରଙ୍ଗମ ହୋଇପାରି ନଥିବାରୁ ସେମାନେ ଏହି ଶିକ୍ଷାରୁ ବଂଚିତ ହୋଇଥିବା ଦେଖାଯାଇଛି । ସଙ୍ଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ ଓ ଶେଷରେ ବିଧାନସଭା ଆଗରେ ଧାରଣା ଦିଆଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପୁନଃ ନିଯୁକ୍ତି ପାଇଁ ପ୍ରତିଶୃତି ମିଳିଥିଲେ ବି ଅଦ୍ୟାବଧି ପୁନଃ ନିଯୁକ୍ତି ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ସଙ୍ଘ ପକ୍ଷରୁ ଜିଲ୍ଲା ସଭାପତି ଦେବପ୍ରିୟ ମହାନ୍ତି, ସମ୍ପାଦକ ଅନିରୁ୍‌ଦ୍ଧ ଗିରି, ସବିତା ରାଉତ, ବୈଜୟନ୍ତୀ ବରାଳ, ଅଜିତ ମହାନ୍ତି, ରାକେଶ ବେହେରା, ନିରଞ୍ଜନ ସେଠୀ, ମନୋଜ ଜେନା, ଶିବ ପ୍ରସାଦ ମହାପାତ୍ର, ଦୀପକ କୁମାର ସ୍ୱାଇଁ, ପ୍ରଶାନ୍ତ ସାମଲ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ