ଶିକ୍ଷୟତ୍ରୀଙ୍କୁ ଆକ୍ରମଣ ଅଭିଯୋଗ , ମାମଲା ରୁଜୁ
ହାଟଡ଼ିହି, (ସୌମ୍ୟରଂଜନ ଆଚାର୍ଯ୍ୟ): ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ସଂପୃକ୍ତ ଯୁବକଙ୍କ ପକ୍ଷରୁ ମଧ୍ୟ ଶିକ୍ଷୟତ୍ରୀଙ୍କ ନାମରେ ପାଲଟା ଅଭିଯୋଗ ହୋଇଛି । ପୁଲିସ ଦୁଇଟି ମାମଲା ରୁଜୁକରି ତଦନ୍ତ ଚଳାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଜଳସରପୁର ସ୍କୁଲର ଶିକ୍ଷୟତ୍ରୀ ଥିବା ରଶ୍ମୀରଞ୍ଜିତା ଦାସ ନିକଟସ୍ଥ ବିଷ୍ଣୁପୁର ଗ୍ରାମରେ ଘର ଭଡାନେଇ ରହିଆସୁଥିଲେ । ସେହି ସମୟରେ ଘର ମାଲିକଙ୍କ ନିକଟରୁ କିଛି ଟଙ୍କା ଧାର ଆକାରରେ ନେଇ ସୁଝିନଥିଲେ । ଏଥିରେ ଭଦ୍ରଲୋକି ସାଜି ଜଳସରପୁର ଗ୍ରାମର ପ୍ରଦୀପ ଜେନା ଏହି ବିବାଦର ସାମାଧାନ କରାଇଥିଲେ । କିନ୍ତୁ ଶିକ୍ଷୟତ୍ରୀ ଜଣକ ପରବର୍ତ୍ତୀ ସମୟରେ ଟଙ୍କା ନଦେବାରୁ ଉଭୟଙ୍କ ଭିତରେ ପୁର୍ବରୁ ବଚସା ଓ ଯୁକ୍ତିତର୍କ ହୋଇ ଆସୁଥିଲା । ଗତକାଲି ଶିକ୍ଷୟତ୍ରୀ ଜଣକ ସ୍କୁଲକୁ ଆସିଥିବା ସମୟରେ ପ୍ରଦୀପ ଜେନା ସ୍କୁଲ ଗେଟ ସମ୍ମୁଖରେ ଟଙ୍କା ମାଗିବାରୁ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହେବାସହ ପ୍ରଦୀପ ଉକ୍ତ ଶିକ୍ଷୟତ୍ରୀଙ୍କୁ ମାଡପିଟ କରିବା ସହିତ ଅଶ୍ଳିଳ ଆଚରଣ କରିଥିବା ନେଇ ଶିକ୍ଷୟତ୍ରୀ ରଶ୍ମୀରଞ୍ଜିତା ଦାସ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ନନ୍ଦିପଦା ଥାନା କେସନଂ ୨୬ରେ ଏକ ମାମଲା ରୁଜୁ ହୋଇଥିବାବେଳେ ପ୍ରଦୀପ ମଧ୍ୟ ସଂପୃକ୍ତ ଶିକ୍ଷୟତ୍ରୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ସେ ଟଙ୍କା ମାଗିବାରୁ ସଂପୃକ୍ତ ଶିକ୍ଷୟତ୍ରୀ ଓ ତାଙ୍କ ସ୍ୱାମୀ ଜଗଦାନନ୍ଦ ରାଉତ ଓ ବିଦ୍ୟାଳୟର କିଛି ଶିକ୍ଷକ ତାଙ୍କୁ ପିଟାମରା କରିଥିବା ନେଇ ଅଭିଯୋଗ କରିବାରୁ ଥାନା କେସନଂ ୨୭ରେ ପୁଲିସ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।


