ଜାଗର ଯାତ୍ରା : ଲିଙ୍ଗରାଜ ମନ୍ଦିରକୁ ପଲିଥିନ୍‌, ପ୍ଲାଷ୍ଟିକ ଓ ମାଦକଦ୍ରବ୍ୟ ପ୍ରବେଶ ନିଷିଦ୍ଧ ହେଉ

ଭୁବନେଶ୍ୱର,(ୱାଇଏନ୍‌ଏସ୍‌): ଆଉ ଦିନ କେଇଟା ପରେ ଏକାମ୍ରକ୍ଷେତ୍ର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଳିଙ୍ଗରାଜଙ୍କ ଜାଗର ଯାତ୍ରା । ଏକାମ୍ରକ୍ଷେତ୍ର ଏବେଠୁ ଚଳଚଞ୍ଚଳ । ଯାତ୍ରାରେ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ମହାପ୍ରଭୁଙ୍କ ଆରାଧନା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ଅଧିକାଂଶ ଭକ୍ତ ମହାପ୍ରଭୁଙ୍କୁ ଭୋଗ ଲାଗି ପାଇଁ ବିଭିନ୍ନ ପଲିଥିନ୍ ଓ ପ୍ଲାଷ୍ଟିକ ଦ୍ରବ୍ୟରେ ନଡ଼ିଆ, କଦଳୀ, କ୍ଷୀର, ଫୁଲ ଇତ୍ୟାଦି ସାମଗ୍ରୀକୁ ସାଥିରେ ନେଇ ମନ୍ଦିରକୁ ପ୍ରବେଶ କରିଥାନ୍ତି । ଅନେକ ଅସାମାଜିକ ବ୍ୟକ୍ତି ମନ୍ଦିର ଭିତରକୁ ମାଦକଦ୍ରବ୍ୟ ସେବନ କରି ପ୍ରବେଶ କରିଥାନ୍ତି । ଆଉ କିଛି ଦୀପ ଜାଳିବା ସମୟରେ ନେଇ ଆସିଥିବା ମାଦକଦ୍ରବ୍ୟକୁ ସେବନ ମଧ୍ୟ କରିଥାନ୍ତି । ମହାଦୀପ ଉଠିବା ପରେ ଭକ୍ତ ସାଥୀରେ ନେଇ ଆସିଥିବା ପଲିଥିନ୍ ଓ ପ୍ଲାଷ୍ଟିକକୁ ମନ୍ଦିର ପରିସରରେ ଏଣେତେଣେ ଫୋପାଡ଼ି ଚାଲିଯାଆନ୍ତି ଯଦ୍ୱାରା ପରବର୍ତ୍ତୀ ସମୟରେ ମନ୍ଦିରର ପରିବେଶ ଓ ସୌନ୍ଦର୍ଯ୍ୟ ନଷ୍ଟ ବି ହୋଇଥାଏ । କୌଣସି ଭକ୍ତ ଯେପରି ପଲିଥିନ୍‌, ପ୍ଲାଷ୍ଟିକ ଓ ମାଦକଦ୍ରବ୍ୟର ସାମଗ୍ରୀ ନେଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ଏବେଠୁ କଟକଣା ଓ ତାଗିଦ୍ ଜାରି ହେଉ । ତେବେ ଯାଇ ଆମ ଜାତୀୟ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ସହ ସୌନ୍ଦର୍ଯ୍ୟ ବୃଦ୍ଧି ଏବଂ ସ୍ୱଚ୍ଛ ପରିବେଶ ବିକାଶ ହୋଇପାରିବ ବୋଲି ଏହି ମର୍ମରେ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ପ୍ରଶାସନିକ ଅଧିକାରୀ ପ୍ରଶାନ୍ତ କୁମାର ଦାଶ (ଓ.ଏ.ଏସ୍‌)ଙ୍କୁ ପତ୍ର ମାଧ୍ୟମରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ