୧୨ ବଖରା ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା-ନରସିଂହପୁର ଗ୍ରାମରେ ଗୁରବାର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୧୨ ବଖରା ଗୃହ ଭସ୍ମୀଭୂତ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି । ରାତ୍ରି ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଘର ଭିତରୁ କୌଣସି ସାମଗ୍ରୀ ଖୋଲା ଯାଇପାରିନଥିଲା । ଗ୍ରାମର ବାସୁଦେବ ଜେନା, କମଳାକାନ୍ତ ଜେନାଙ୍କର ପ୍ରତ୍ୟେକ ୨ ବଖରା, ଶ୍ରୀକାନ୍ତ ଜେନା, ବିଷ୍ଣୁ ଚରଣ ଜେନା, ପ୍ରକାଶ ଜେନା, ମାନସ କୁମାର ଜେନା, ବିଶ୍ୱଭୂଷଣ ଜେନା, ପୂର୍ଣ୍ଣ ଚନ୍ଦ୍ର ଜେନା, ଅକ୍ଷୟ କୁମାର ଜେନା, ପ୍ରହଲ୍ଲାଦ ଜେନାଙ୍କ ପ୍ରତ୍ୟେକ ୧ ବଖରା ଲେଖାଏ ଗୃହ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ନଗଦ ଟଙ୍କା, ଧାନ ଓ ଗୋଟିଏ ଆକ୍ଟିଭା ଗାଡି ପୋଡି ନଷ୍ଟ ହୋଇଥିବା ବେଳେ ଗୋଟିଏ ଗୋରୁ ଗୁରୁତର ଆହତ ହୋଇଛି । ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ୍ ସଟ୍ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଇଛି । ଖବର ପାଇ ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲ, ଗଣିଜାଙ୍ଗ ସେବା ସମବାୟ ସମିତି ପୂର୍ବତନ ସଭାପତି ଜଗନ୍ନାଥ ପାଣିଗ୍ରାହୀ, ସରପଞ୍ଚ ରଂଜନ କୁମାର ସାହୁ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅଗ୍ନିବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ ହୋଇଛି ।


