ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ବିଶେଷ ସେବା ଶିବିର ଯୋଜନା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆୟୋଜିତ ସାତଦିନିଆ ବିଶେଷ ସେବା ଶିବିର ଏକ ବିଶେଷ ଉତ୍ସବ ଜରିଆରେ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନ ଉତ୍ସବରେ ବିଶେଷ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀଯୁକ୍ତ ଅନନ୍ତ ବିଜୟ ପଟ୍ଟନାୟକ ସମସାମୟିକ ଯୁବପିଢି ମଧ୍ୟରେ ସମାଜସେବାର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିବା ସହ ସାମାଜିକ କର୍ତ୍ତବ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କଅଁର ଭାରତୀୟ ସମାଜରେ ସାମାଜିକ କର୍ତ୍ତବ୍ୟ ଓ ସେବାର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡଃ ଚକ୍ରଧର ବେହେରା ଓ କାର୍ଯ୍ୟକ୍ରମ ଅଧିକାରୀ ଡଃ ସନ୍ଦୀପ କୁମାର ରାଉତଙ୍କ ସଂଯୋଜନା ଓ ଆବାହକତ୍ୱରେ ଆୟୋଜିତ ଏହି ଉଦ୍ଯାପନୀ ସମାରୋହରେ ଡଃ ଆଶିଷ ମହାପାତ୍ର ଓ ଡଃ ଶ୍ରୀନିବାସ ପ୍ରମୁଖ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉଦ୍ଯାପନୀ ସମାରୋହରେ ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରଯିବା ସହ ବିଭିନ୍ନ ପ୍ରତିଯୋଗିତାର ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।


