ଆତ୍ମନିର୍ଭରଶୀଳ ହେବେ ଜେଲ୍ ଅନ୍ତେବାସୀ: ପାରଳା କାରାଗାରରେ ଅନ୍ତେବାସୀଙ୍କୁ ଛତୁ ଚାଷ ତାଲିମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳା କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଜୀବନ ବିତାଇ ଆସୁଥିବା ୨୪ଜଣ ଅନ୍ତେବାସୀଙ୍କୁ ଜେଲ୍‌ରୁ ମୁକୁଳିବା ପରେ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହୋଇ ସ୍ୱରୋଜଗାରକ୍ଷମ ପାଇଁ ଛତୁ ଚାଷର ତାଲିମ ଦିଆଯାଇଛି । ପାରଳାଖେମୁଣ୍ଡି ଠାରେ ଥିବା ଉପକାରାଗାର ଠାରେ ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନ ପକ୍ଷରୁ ୧୦ଦିନିଆ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିବା ବେଳେ ଗଜପତି ଜିଲ୍ଲା ଦୈରାଜଜ୍ ବିଶ୍ୱଜିତ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହି ତାଲିମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସେସନ ବିଚାରପତି ଶୁଭଶ୍ରୀ ପ୍ରଧାନ, ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଚନ୍ଦ୍ର ନାୟକ, ଜେଲ ସୁପରିଟେଣ୍ଡଣ୍ଟ ହନୁ ସେଠୀ, ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ସରକାରୀ ଓକିଲ ଲଳିତ ରଞ୍ଜନ ଗମାଙ୍ଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନଥିଲେ । ଏହି ତାଲିମ ନିମନ୍ତେ ୨୪ଜଣ ବିଚାରଧିନ କଏଦୀ ମାନେ ଭାଗ ନେଇଥିବାର ଜଣାପଡିଛି । ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ ଏମାନେ ବିଚାରଧିନ କଏଦୀ ଭାବେ ଅତିବାହିତ କରୁଥିଲେ ମଧ୍ୟ କୋର୍ଟର ରାୟ ପରେ ସଜା କାଟି କିମ୍ବା ଜେଲ୍‌ରୁ ମୁକୁଳିବାପରେ ଏମାନେ ନିଜେ ନିଜେ କିପରି ସ୍ୱବାଲମ୍ବୀ ହୋଇପାରି ଏକ ପରିବର୍ତ୍ତିତ ଜୀବନ ଯାପନ କଟାଇବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହାସହ ଶୃଙ୍ଖଳିତ ଜୀବନ ଯାପନ ଅତିବାହିତ କରିବାରେ ଏହି ପ୍ରଶିକ୍ଷଣ ସହାୟକ ହେବ ବୋଲି ମଧ୍ୟ କହିଥିଲେ । ଏହି ଉଦ୍‌ଘାଟନୀ ସଭା ଶେଷରେ ଅନୁଷ୍ଠାନର ପ୍ରଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାରାଗାର କିମ୍ବା ଉପକାରାଗାରରେ ଏପରି କାର୍ଯ୍ୟକ୍ରମ ହେଉଥିବାର ବହୁ ଦୃଷ୍ଟାନ୍ତ ରହିଥିଲେ ହେଁ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ଆତ୍ମନିର୍ଭରଶୀଳ କାର୍ଯ୍ୟକ୍ରମ ହେଉଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ