କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ପ୍ରଶାସକ ବଦଳିଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ପ୍ରଶାସକଙ୍କ ବଦଳି ହୋଇଯାଇଛି । ପୂର୍ବରୁ ଏହି କୋପରେଟିଭ ସୋସାଇଟିର ପ୍ରଶାସକ ଥିବା ଡି.ଆର.ସି.ଏସ.(କ୍ରେଡିଟ)ଙ୍କ ବଦଳରେ ଯୁଗ୍ମ ନିବନ୍ଧକ(ଟି ଆଣ୍ଡ ପି)ଙ୍କୁ ପ୍ରଶାସକ ଭାବେ ରାଜ୍ୟ ସମବାୟ ନିବନ୍ଧକ ସୁଶାନ୍ତ କୁମାର ବାରିକ ନିଯୁକ୍ତି ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ପରିଚାଳନା ପରିଷଦର ନିର୍ବାଚନ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ଯୁଗ୍ମ ନିବନ୍ଧକ(ଟି ଆଣ୍ଡ ପି) ସୋସାଇଟିର ପ୍ରଶାସକ ଭାବେ ଦାୟୀତ୍ୱ ନିର୍ବାହ କରିବେ ବୋଲି ସୂଚନା ମିଳିଛି । ପୂର୍ବରୁ ପ୍ରଶାସକ ଥିବା ଡି.ଆର.ସି.ଏସ.(କ୍ରେଡିଟ) ବିଭିନ୍ନ କାରଣରୁ ବିବାଦ ଘେରକୁ ଆସିଯାଇଥିଲେ । ବହିଷ୍କୃତ କର୍ମଚାରୀଙ୍କୁ ପୁନଃନିଯୁକ୍ତି, ବୀମା କ୍ଷେତ୍ରରେ କରପୋରେଟ ଏଜେନ୍ସିକୁ ନିଯୁକ୍ତି ପ୍ରଦାନ କରାନଯିବା, ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତର କ୍ଷେତ୍ରରେ ବିପୁଳ ଅର୍ଥ ବ୍ୟୟ କରାଯିବା ସହ ଅନ୍ୟ କେତେକ କାର୍ଯ୍ୟ ଯୋଗୁଁ ଡି.ଆର.ସି.ଏସ.(କ୍ରେଡିଟ) ବିବାଦ ଘେରରେ ଥିଲେ । ଏପରିକି ସମବାୟ ନିବନ୍ଧକଙ୍କ ନିର୍ଦେଶକୁ ବେଖାତିର କରି ସଭାପତି ପଦରୁ ବହିଷ୍କୃତ ହୋଇଥିବା ପ୍ରମୋଦ କୁମାର ସାହୁଙ୍କୁ ସୋସାଇଟିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଇବା ସହ ତାଙ୍କୁ ଅତିଥି ଭାବେ ନେବାକୁ ସେ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଶ୍ରୀ ସାହୁଙ୍କ ମୋବାଇଲ ନମ୍ବରକୁ ସୋସାଇଟି କାର୍ଯ୍ୟାଳୟର ବିଭିନ୍ନ ଅଫିସିଆଲ ହ୍ୱାଟସଅପ ଗ୍ରୁପରେ ସମ୍ପାଦକ ଓ ଅତିରିକ୍ତ ସମ୍ପାଦକଙ୍କ ସହ ସଂପୃକ୍ତ କରାଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାରେ ବିବାଦୀୟ ଭୂମିକା ନେଇଥିଲେ । ଡି.ଆର.ସି.ଏସ.(କ୍ରେଡିଟ) ଏସମ୍ପର୍କରେ ସବୁଜାଣି ନୀରବ ଦ୍ରଷ୍ଟା ସାଜିଥିବା ଏବଂ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା ।