ପାରାଦୀପରେ ଓସିଏ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ପାରାଦୀପ, (ପୀତବାସ ପ୍ରଧାନ):ପାରାଦୀପ ପୋର୍ଟ କ୍ରିକେଟ ଜିଲ୍ଲା ଆନୁକୁଲ୍ୟରେ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ଦ୍ୱାରା ଆୟୋଜିତ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଅଛି । ଏହି ଅବସରରେ ପାରାଦୀପ ବନ୍ଦରର ସିଆଇଏସ୍ଏଫ କମାଣ୍ଡାଣ୍ଟ ମଧବାନନ୍ଦ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଓ ପାରାଦୀପ ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶଦାତା ତଥା ପାରାଦୀପ ପୋର୍ଟ ସ୍ପୋର୍ଟସ୍ କାଉନ୍ସିଲର ସଭାପତି ଧର୍ମେନ୍ଦ୍ର ନାଥ ସୋନ୍ଧି, ପାରାଦୀପ ବନ୍ଦର ସିନିୟର ମେରାଇନ୍ ଇଂଜିନିୟର ତଥା ସ୍ପୋର୍ଟସ୍ କାଉନ୍ସିଲର କାର୍ଯ୍ୟକାରୀ ସଭାପତି ବବଲୁ ସିକ୍ଦାର ଏବଂ ଏସିଇ କମରସିଆଲ ଡାଇରେକ୍ଟର ଅକ୍ଷୟ କୁମାର ସୁତାର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ସୂଚନା ଥାଉକି, ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୬ରୁ ଏପ୍ରିଲ ୭ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟରେ ପାରାଦୀପ ପୌରାଚଂଳର ୧୨ଗୋଟି ଦଳ ଭାଗ ନେଇଛନ୍ତି । ତେବେ ଉଦ୍ଘାଟନୀ ଦିବସରେ ପ୍ରଥମ ମ୍ୟାଚ ପାରାଦୀପ କ୍ରିକେଟ କ୍ଲବ ଓ ପାରାଦୀପ କ୍ରିକେଟ ଏକାଡେମୀ-୧ ମଧ୍ୟରେ ଗୋପବନ୍ଧୁ ଷ୍ଟାଡିୟମର ୧ନମ୍ବର ପଡିଆରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରାଦୀପ କ୍ରିକେଟ ଏକାଡେମୀ-୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୪୦ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ପାରାଦୀପ କ୍ରିକେଟ କ୍ଲବ ୩୦.୪ ଓଭରରେ ସମସ୍ତ ୱିକେଟ ହରାଇ ୧୭୭ ରନ୍ ସଂଗ୍ରହ କରି ପାରିଥିଲା । ଏହି ମ୍ୟାଚ୍ରେ ପାରାଦୀପ କ୍ରିକେଟ ଏକାଡେମୀ-୧ ୧୬୩ ରନ୍ରେ ବିଜୟ ଲାଭ କରିଥିଲା । ସେହିପରି ୨ନମ୍ବର ପଡିଆରେ ଦ୍ୱୀତିୟ ମ୍ୟାଚ୍ଟି ବ୍ଲୁଷ୍ଟାର ଓ ଡାଇମଣ୍ଡ-୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବ୍ଲୁଷ୍ଟାର ପ୍ରଥମେ ବ୍ୟାଟିଂ କରି ୩୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୬୮ ରନ୍ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ଡାଇମଣ୍ଡ-୧ ଟିମ୍ ୨୨.୧ ଓଭରରେ ୬ ୱିକେଟ ହରାଇ ୧୭୨ ରନ୍ କରି ମ୍ୟାଚ୍ଟିକୁ ୪ ୱିକେଟରେ ଜିତି ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ପାରାଦୀପ ବନ୍ଦର ଏସ୍ଇ ଇଲେକ୍ଟ୍ରିକାଲ ମାନସ ରଂଜନ ସେଠୀ, ପାରାଦୀପ ସ୍ପୋର୍ଟସ୍ କାଉନ୍ସିଲ ଉପଦେଷ୍ଟା ତଥା ଓସିଏ ସଭ୍ୟ ରବିନ୍ଦ୍ର କୁମାର ଦାସ ଏବଂ ସ୍ପୋର୍ଟସ୍ କାଉନ୍ସିଲ ସମ୍ପାଦକ ରଂଜନ ରଶ୍ମି ବେଉରା ପ୍ରମୁଖ ପରିଚାଳନା କରିଥିଲେ ।


