ଚାଇଲଡ ଲାଇନ ରୋକିଛି କନ୍ଧମାଳରେ ୭୧ଟି ବାଲ୍ୟ ବିବାହ
ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଯଥେଷ୍ଟ ଆଗେଇଛି
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗତ ୨୦୧୨ ମସିହାରୁ କନ୍ଧମାଳ ଜିଲାରେ କାର୍ଯ୍ୟ କରି ଆସୁଥିବା ଚାଇଲଡ ଲାଇନ ଜିଲାରେ ଶିଶୁ ମାନଙ୍କ ସୁରକ୍ଷା, ଥଇଥାନ ଏବଂ ଉନ୍ନତି ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛି। ଆଗକୁ ଏ ଦିଗରେ ଆହୁରି ଅନେକ କରିବାର ଅଛି ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚାଇଲଡ ଲାଇନର ନିର୍ଦେଶକ ରବୀନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି। ଜିଲାରେ ଇତି ମଧ୍ୟରେ ଶିଶୁ ସୁରକ୍ଷା ସଂପର୍କରେ ଜାଗ୍ରତ ବଢିବା ସହ ହେଲପଲାଇନ ୧୦୯୮ ସଂପର୍କରେ ମଧ୍ୟ ସଚେତନତା ସୃଷ୍ଟି ହୋଇ ପାରିଛି ବୋଲି ସେ କହିଛନ୍ତି । ଅଧିକାଂଶ ସମୟରେ ଚାଇଲଡ ଲାଇନର କର୍ମକର୍ତ୍ତାଙ୍କୁ ପ୍ରତିକୂଳ ପରିସ୍ଥିତିରେ କାର୍ଜ୍ୟ କରିବାକୁ ପଡୁଥିିଲେ ବି ସଂସ୍ଥାର କର୍ମକର୍ତାମାନେ ଗତ କିଛି ବର୍ଷ ମଧ୍ୟରେ ନିଜର ଦାୟିତ୍ୱ ତୁଲାଇବାରେ ସଫଳ ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଗତ ବର୍ଷ ଚାଇଲଡ ଲଇନ ପକ୍ଷରୁ ୭୧ଟି ବାଲ୍ୟ ବିବାହ ରୋକାଯାଇଥିବା ବେଳେ ୨୨ ଜଣ ଶିଶୁଙ୍କୁ ନିର୍ଯ୍ୟାତନାରୁ ରକ୍ଷା କରାଯାଇଛି ଏବଂ ୧୫ ଜଣ ଶିଶୁଙ୍କୁ ପ୍ରତିପାଳନ ଓ ଶିକ୍ଷାର ସୁଯେ୍ାଗ ଦିଆଯାଇ ପାରିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଚାଲାଣ କରାଯାଉଥିବା ବେଳେ ୩୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ଏବଂ ୮ ଜଣ ନିଖୋଜ ଓ ଘରୁ ଚାଲିଯାଇଥିବା ଶିଶୁଙ୍କୁ ଚାଇଲଡ ଲାଇନ କର୍ମକର୍ତ୍ତାମାନେ ଉଦ୍ଧାର କରିଥିବା କୁହାଯାଇଛି । ତେବେ କନ୍ଧମାଳ ଜିଲାରେ ବାଲ୍ୟ ବିବାହ ଏବଂ ଅନ୍ୟାନ୍ୟ ଶିଶୁ ସମସ୍ୟା ସଂପର୍କିତ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ଏ ଅବସରରେ ନିର୍ଦ୍ଦେଶକ ପଣ୍ଡା କହିଛନ୍ତି । ଜିଲାରେ ବିଭିନ୍ନ କ୍ଷେତ୍ରରେ ନିର୍ଯ୍ୟାତିତ ହେଉଥିବା କିମ୍ବା ବାଲ୍ୟ ବିବାହରୁ ରୋକା ଯାଉଥିବା କିଶୋରୀ ମାନଙ୍କୁ ଉଦ୍ଧାର ପରବର୍ତ୍ତୀ ଦେଖାରେଖାର ଆବଶ୍ୟକତା ଉପରେ ଏହି ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲାରେ ଚାଇଲଡ ଲାଇନର ଆଉ ଦୁଇଟି ସବ ସେଣ୍ଟର ସ୍ଥାପନର ଆବଶ୍ୟକତା ରହିଥିବା ନିର୍ଦ୍ଦେଶକ କହିଥିଲେ। ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ତେଣୁ ଚାଇଲଡ ଲାଇନର କାର୍ଯ୍ୟ ପରିସରକୁ ବଢାଇ ହେଉ ନ ଥିବା କହିଥିଲେ ପଣ୍ଡା । ଚାଇଲଡ ଲାଇନର କାର୍ଯ୍ୟକ୍ରମ ସଂଯୋଜିକା ରଂଜିତା କମ୍ପ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ପ୍ରେସ କ୍ଲବର ସଭାପତି ଶିବ ପ୍ରସାଦ ତ୍ରିପାଠି, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ ପ୍ରମୁଖ ମଂଚାସୀନ ଥିଲେ। ଶିବ ଶଂକର ବେହେରା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରଭାସ ରଂଜନ ନାୟକ ଚାଇଲଡ ଲଇନର କାର୍ଯ୍ୟକ୍ରମ ଉପରେ ବର୍ଣ୍ଣନା କରିଥିଲେ। ସଦସ୍ୟ ଦୀଲ୍ଲୀପ କୁମାର ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।


