ଛଟେଇ ଲୌହଖଣି ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କଲା ଗୋରୁମହିଷାଣୀ ବିକାଶ ପରିଷଦ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଭାରତର ଲୌହ ଶିଳ୍ପ ବିକାଶରେ ଗୋରୁମହିଷାଣୀ ଲୌହ ଖଣି ଶ୍ରମିକଙ୍କ ଅବଦାନ ଅବର୍ଣ୍ଣନୀୟ । ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଲୌହଖଣିର ଖଣି ମାଲିକାନା ଥିବା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲି: ରେ ହଜାର ହଜାର ଶ୍ରମିକ କାମ କରୁଥିଲେ । ସେମାନଙ୍କୁ ୨୦୦୫ ରେ ଛଟେଇ କରାଯାଇଥିଲା । ଛଟେଇ ସମୟରେ ଅଳ୍ପ ମାତ୍ର ଗ୍ରାଚୁଇଟି କମ୍ପାନୀ ତରଫରୁ ଦିଆଯାଇଥିଲା । କିଛି ଶ୍ରମିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦିଆ ଯାଇଥିଲା । ଏହାକୁ ନେଇ ଆଜିଯାଏଁ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।କିଛି ଶ୍ରମିକ ମରି ହଜିଗଲେଣି ।କିଛି ଶ୍ରମିକ ବୟସର ଅପରାହ୍ନରେ ।ଏହି ଶ୍ରମିକ ମାନେ ଗୋରୁମହିଷାଣୀ ବିକାଶର ସହାୟକ ହୋଇଥିଲେ ।ଏହି ଦୁଃଖୀ ଓ ଅସହାୟ ଶ୍ରମିକମାନଙ୍କ ଅବସ୍ଥା ଦେଖି ଗୋରୁମହିଷାଣୀ ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୟୂରଭଂଜ ଜିଲ୍ଲାର ବିଶିଷ୍ଟ ଶ୍ରମିକ ନେତା ଲକ୍ଷ୍ମଣ ଟୁଡୁ ଶ୍ରମିକମାନଙ୍କୁ ଟିକେ ସମ୍ମାନ ଦେବାପାଇଁ ସୋମବାର ଦିନ ଅନୁଷ୍ଠାନ ତରଫରୁ ଗୋରୁମହିଷାଣୀ କଲ୍ୟାଣ ମଣ୍ଡପରେ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କୁଲେଇଶିଳା ସରପଞ୍ଚ ରାମଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ଗୁହାଳଡାଙ୍ଗିରୀ ସରପଞ୍ଚ ସୁକାନ୍ତି ମୁଣ୍ଡାରୀ, ସମ୍ମାନିତ ଅତିଥି ଭାବେ ବଡମଉଦା ସରପଞ୍ଚ ବସନ୍ତ ମାଝୀ ପ୍ରମୁଖ ଯୋଗ ଦେଇ ଶ୍ରମିକମାନଙ୍କର ଶ୍ରମଦାନ ଓ ଗୋରୁମହିଷାଣୀ ବିକାଶ ରେ ସେମାନଙ୍କ ଭୂମିକାକୁ ଶତ ସଲାମ ଜଣାଇଥିଲେ ।କାର୍ଯ୍ୟକ୍ରମରେ ଶମ୍ଭୁ ମହାକୁଡ଼ ,କିଶନ ମୁର୍ମୁ,ଚାନ୍ଦ୍ରମାସ ମାଝୀ ,ପରୀକ୍ଷିତ ବେହେରା,ଅନିଲ ଦାସ,ଚିତା ମାଝୀ ବାଇଧର ମୁଣ୍ଡିଆ,ମଙ୍ଗଳ ସର୍ଦାର ସମେତ ୧୦୦ରୁ ଉର୍ଦ୍ଧ୍ବ ଶ୍ରମିକମାନଙ୍କୁ ଫୁଲତୋଡ଼ା ଓ ଉତ୍ତରିଆ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋରୁମହିଷାଣୀ ବିକାଶ ପରିଷଦ ଅଧ୍ୟକ୍ଷ ଲକ୍ଷ୍ମଣ ଟୁଡୁଙ୍କୁ ଏତାଦୃଶ ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।


