ପେଟ୍ରୋଲ୍ ପମ୍ପ୍ ଖୋଲିବା ନିୟମ କୋହଳ
ନୂଆଦିଲ୍ଲୀ : ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଅଣାଯାଇଛି । ବର୍ତ୍ତମାନ କେବଳ ତେଲ ଓ ଗ୍ୟାସ୍ କ୍ଷେତ୍ରରେ ବଡ଼ ଧରଣର ପୁଞ୍ଜିନିବେଶ କରିଥିବା ସରକାରୀ ଓ ଘରୋଇ କଂପାନିଗୁଡ଼ିକ ପେଟ୍ରୋଲ୍ ପମ୍ପ୍ ସ୍ଥାପନ କରି ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି କରୁଛନ୍ତି । ଆଗାମୀ ଦିନରେ ତେଲ ବ୍ୟବସାୟ ସହ କୌଣସି ସମ୍ପର୍କ ନଥିବା କଂପାନିଗୁଡ଼ିକ ମଧ୍ୟ ପେଟ୍ରୋଲ୍ ବିକ୍ରି କରିପାରିବେ । ପେଟ୍ରୋଲ୍ ପମ୍ପ୍ ଖୋଲିବା ନିୟମକୁ ସରକାର କୋହଳ କରିଥିବାରୁ ଏହା ସମ୍ଭବ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ପ୍ରଚଳିତ ନିୟମ ଅନୁସାରେ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ୨୦୦୦ କୋଟି ଟଙ୍କା ବିନିଯୋଗ କରିଥିବା କଂପାନିଗୁଡ଼ିକୁ ପେଟ୍ରୋଲ୍ ବିକ୍ରି କରିବା ଲାଇସେନ୍ସ ଦିଆଯାଉଛି । ମାତ୍ର ଆଗାମୀ ଦିନରେ ୨୫୦ କୋଟି ଟଙ୍କାର କାରବାର କରୁଥିବା କଂପାନିଗୁଡ଼ିକୁ ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯିବ । ତେବେ ସେମାନଙ୍କ ପାଇଁ ସର୍ତ୍ତ ରହିବ ଯେ ସିଏନଜି, ଏଲ୍ଏନଜି ଜୈବ ଇନ୍ଧନ ବିକ୍ରି କରିବା ଏବଂ ଇଲେକ୍ଟ୍ରିକ୍ ଯାନ ଲାଗି ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବା ବିକଳ୍ପ ମଧ୍ୟରୁ ଆବେଦନକାରୀ କଂପାନିକୁ ଯେକେ?ଣସି ଗୋଟିଏକୁ ଚୟନ କରିବାକୁ ପଡ଼ିବ । ଲାଇସେନ୍ସ ପାଇବାକୁ ଥିବା କଂପାନି ଗ୍ରାମାଞ୍ଚଳରେ ୫% ପେଟ୍ରୋଲ୍ ପମ୍ପ୍ ୫ ବର୍ଷ ଭିତରେ ସ୍ଥାପନ କରିବେ । ଯେଉଁ କଂପାନି ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବ ତାକୁ ପ୍ରତି ପେଟ୍ରୋଲ୍ ପମ୍ପ୍ ପିଛା ୩ କୋଟି ଟଙ୍କାର ଜରିମାନା ଗଣିବାକୁ ହେବ । ତେଲ ବିକ୍ରି ନିୟମକୁ କୋହଳ କରିବା ପଛର ମୂଳ ଉଦ୍ଦେଶ୍ୟ ହେଉଛି ଏହି କ୍ଷେତ୍ରକୁ ଘରୋଇ କ୍ଷେତ୍ର ଏବଂ ବିଦେଶୀ ପୁଞ୍ଜିନିବେଶ ଆଣିବା । ଶେଷ ଥର ଲାଗି ୧୭ ବର୍ଷ ପୂର୍ବେ ୨୦୦୨ରେ ଏହି ନିୟମରେ ସଂଶୋଧନ ହୋଇଥିଲା । ତେବେ ବର୍ତ୍ତମାନର ବଜାର ସ୍ଥିତିକୁ ବିଚାରକୁ ନେଇ ସରକାର ନିୟମ ବଦଳାଇଥିବା କହିଛନ୍ତି । ଏକ ଉଚ୍ଚ ସ୍ତରୀୟ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ତେଲ ବିକ୍ରି କରିବା ନିୟମକୁ ସରକାର କୋହଳ କରିଥିବାରୁ ଆଗାମୀ ଦିନରେ ସାଉଦି ଆରବର ସାଉଦି ଆମାରକୋ, ବ୍ରିଟେନ୍ର ବିପି, ପୁମା ଏନର୍ଜି ଭଳି କଂପାନିର ପେଟ୍ରୋଲ୍ ପମ୍ପ୍ ଭାରତରେ ଦେଖିବାକୁ ମିଳିପାରେ । ଭାରତରେ ପେଟ୍ରୋଲ୍ ପମ୍ପ୍ ଖୋଲିବା ଲାଗି ବିଦେଶୀ କଂପାନି ଟୋଟାଲ୍ ତରଫରୁ ଆଦାନି ଗ୍ରୁପ୍ ସହିତ ଏମ୍ଓୟୁ କରାଯାଇଛି । ଏହି କଂପାନି ୧୫୦୦ ପେଟ୍ରୋଲ୍ ପମ୍ପ୍ ଖୋଲିବାକୁ ଚାହୁଛି । ସେହିପରି ବ୍ରିଟେନର ବିପି ଭାରତରେ ମୁକେଶ ଅମ୍ବାନିଙ୍କ ସହ ହାତ ମିଳାଇଛି । ପୁମା ଏନର୍ଜି ମଧ୍ୟ ତେଲ ବିକ୍ରି କରିବା ଲାଗି ଲାଇସେନ୍ସ ନିମନ୍ତେ ଆବେଦନ କରିଛି । ବର୍ତ୍ତମାନ ସାରା ଦେଶରେ ତିନି ସରକାରୀ ତେଲ କଂପାନି ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମର ୬୫,୫୫୪ଟି ପେଟ୍ରୋଲ୍ ପମ୍ପ୍ ରହିଛି । ସେମାନଙ୍କ ବ୍ୟତୀତ ଘରୋଇ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ନୟାରା ଏନର୍ଜି, ରୟାଲ୍ ଡଚ୍ ସେଲର ମଧ୍ୟ ବିପୁଳ ସଂଖ୍ୟାର ପେଟ୍ରୋଲ୍ ପମ୍ପ୍ ରହିଛି ।


