ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ ରାକେଟ୍ ସକ୍ରିୟ, କରୋନା ଜୋରିମାନା ଲୁଟିାବାରେ ମସଗୁଲ ବ୍ରହ୍ମପୁର ପୋଲିସ
ବ୍ରହ୍ମପୁର,(ଅନିଲ କୁମାର): ଗୋଟିଏ ପଟେ କରୋନାର ନିୟମ ଉଲଂଘନକାରୀଙ୍କୁ ଧରିବା ଓ ତାଙ୍କଠାରୁ ଜୋରିମାନା ଆଦାୟରେ କରିବାରେ ଏବେ ବ୍ରହ୍ମପୁର ପୋଲିସ ମସଗୁଲ ଥିବା ବେଳେ ସେପଟେ ପୁଣି ବ୍ରହ୍ମପୁର ଆରମ୍ଭ ହୋଇଯାଇଛି ଆଇପିଏଲ୍ ଖେଳକୁ ନେଇ ବେଟିଂ । ମାତ୍ର ଏଥି ପ୍ରତି ବ୍ରହ୍ମପୁର ପୋଲିସ କୌଣସି ଖୋଜଖବର ରଖିନାହିଁ । ଏହି ଖେଳ ମାଧ୍ୟମରେ କୋଟି କୋଟି ଟଙ୍କାର କାରବାର ଚାଲିଥିବା ବେଳେ ବ୍ରହ୍ମପୁର ପୋଲିସ ମାତ୍ର ସରଳ ଜନସାଧାରଣଙ୍କୁ କରୋନା ସଂକ୍ରମଣର ଦ୍ୱାହି ଦେଇ ସେମାନଙ୍କୁ ଜୋରିମାନା ଲୁଟୁଛି । ବ୍ରହ୍ମପୁର ପୁଲିସ ଗତ ଆଇପିଏଲ୍ ସିଜିନ୍ରେ ଆଇପିଏଲ୍ ବେଟିଂ ଧରିବାରେ ବଡ଼ ସଫଳତା ହାସଲ କରିଥିଲା । ମାତ୍ର ଏବେ ଏହାକୁ ବ୍ରହ୍ମପୁର ପୋଲିସ ଅଣଦେଖା କରିଲା ଭଳିକା ମନେ ହେଉଛି । ଏବେ ପୁଣି ଆରମ୍ଭ ହୋଇଯାଇଛି ଆଇପିଏଲ୍ ମୁକାବିଲା । ବ୍ରହ୍ମପୁରରେ ମଧ୍ୟ ସଟ୍ଟାବାଜି ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଦୁଇଟି ଦମ୍ଦାର୍ ଟିମ୍ ମଇଦାନକୁ ଓହ୍ଲାଇଥିବାରୁ କୋଟି କୋଟି ଟଙ୍କାର ବେଟିଂ ହୋଇଥିବା ଜଣାଯାଇଛି । ଅନ୍ୟ ଦିନରେ ମଧ୍ୟ ବିଭିନ୍ନ ଦଳକୁ ନେଇ ହାର ଜିତ୍, ବ୍ୟାଟିଂ ଓ ବୋଲିଂ ନେଇ ଟଙ୍କା ବାଜି ଲଗାଯାଉଛି । ଗତ ଅକ୍ଟୋବର ୩୦ରେ ବ୍ରହ୍ମପୁର ପୁଲିସ ଆଇପିଏଲ୍ ବେଟିଂ ଚଳାଉଥିବା ଅଭିଯୋଗରେ ଗୋସାଇଁନୂଆଗାଁର ଲାଲି ଆଚାରୀ ଓ ସହଯୋଗୀ ପ୍ରଶାନ୍ତ ସୁବୁଦ୍ଧିଙ୍କୁ ଗିରଫ କରିଥିଲା । ଏମାନଙ୍କ ଠାରୁ ୩୩ ଲକ୍ଷ ଟଙ୍କା ଜବତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାରେ ବ୍ରହ୍ମପୁରରୁ ଅନ୍ୟ ବୁକିଙ୍କ ସମେତ ମାଷ୍ଟର୍ମାଇଣ୍ଡ୍ ମଧ୍ୟ ଗିରଫ ହୋଇଥିଲେ । ଗୋଟିଏ ପଟେ ବ୍ରହ୍ମପୁରରେ ଆଇପିଏଲ୍ ସଟ୍ଟାରେ କୋଟି କୋଟି ଟଙ୍କା ବାଜି ଲାଗୁଥିବାରୁ ବୁକିମାନେ ନଜର ରଖିଛନ୍ତି । ପୋଲିସର ଡର ନଥିବାରୁ ଏବେ ପୁରୁଣା ବୁକି ମାନେ ସକ୍ରିୟ ହେବାରେ ଲାଗିଛତି । ବାହାର ଜିଲ୍ଲାରୁ ଆସି ଏଠାରେ ହୋଟେଲ୍ରେ ରହି ସବ୍ ବୁକି ଓ ସଟ୍ଟା ଲଗାଉଥିବା ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି । ବେଟିଂ ପାଇଁ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ମଧ୍ୟ କରାଯାଇଛି । ଫୋନ୍ ମାଧ୍ୟମରେ ଚାଲୁଛି ସମସ୍ତ ନେଟ୍ୱାର୍କ ।ଏପରିକି ବ୍ରହ୍ମପୁର ଗୋଷାଣୀନୂଆଗାଁ, ହାଉସିଂବୋର୍ଡ କଲୋନୀ, ବଡ଼ବଜାର ଥାନା ଅଞ୍ଚଳରେ ଲୁଚିଛପି ଆଇପିଏଲ୍ ସଟାବାଜି ଚାଲୁଥିବା ବେଳେ ପୋଲିସ ଏବେ ଏହାକୁ ଧରିବାରେ ସକ୍ଷମ ହୋଇପାରିନାହିଁ ।


