ଜିଲ୍ଲାସ୍ତରୀୟ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା) : କୋଭିଡ୍ କଟକଣା ଅନୁପାଳନ ପୂର୍ବକ ସଦଭାବନା ସଭାଗୃହରେ ବାଲେଶ୍ୱର ଜିଲ୍ଲାସ୍ତରୀୟ ୧୩୧ତମ ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଯୋଗ ଦେଇ ଆମ୍ବେଦକର ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୁଷ୍ପଧୂପ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଆଦି ସୀମିତ ସଂଖ୍ୟାରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଆମ୍ବେଦକରଙ୍କ ବାଲ୍ୟଜୀବନ, ପ୍ରତିଭା, ଶିକ୍ଷା ଜୀବନ, ସମାଜ ସଂସ୍କାରକ ସର୍ବୋପରି ସମ୍ବିଧାନ ପ୍ରଣେତା ହିସାବରେ ସ୍ମୃତିଚାରଣ କରାଯାଇଥିଲା । ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ବରିଷ୍ଠ ନାଗରିକ ଲକ୍ଷ୍ମୀଧର ବେହେରା, ଅଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ, ବୁଦ୍ଧିଜୀବୀ ସ୍ନେହଲତା ଦାସପତି, ସମାଜସେବୀ ଅର୍ଚ୍ଚନା ନନ୍ଦୀ ପ୍ରମୁଖ ଆମ୍ବେଦକରଙ୍କ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆମ୍ବେଦକରଙ୍କୁ ଜଣେ ସମାଜ ବିଜ୍ଞାନୀ ରୂପେ ଚିତ୍ରଣ କରିବା ସହିତ ପ୍ରାକ୍ ସ୍ୱାଧୀନତା କାଳରେ ତତ୍କାଳୀନ ସାମାଜିକ ବୈଷମ୍ୟତା ଦୂରୀକରଣ ଦିଗରେ ତାଙ୍କର ବିଶେଷ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ରାଜୀବ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସହକାରୀ ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।