ଟ୍ରାଫିକ ଜାମ, ଲୋକେ ହନ୍ତସନ୍ତ

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳର ଜଡିବାହାଲ-ବାମେବାରୀ ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ୍ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକା ଠାରୁ ସନ୍ଧ୍ୟା ପ୍ରାୟ ୫ ଘଟିକା ପର୍ଯ୍ୟନ୍ତ ଏହି ଟ୍ରାଫିକ ସମସ୍ୟା ଲାଗି ରହିଥିଲା । ଏହି ରାସ୍ତାରେ ଖଣିଜ ବୋଝେଇ ଟ୍ରକ ପରିବହନ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଥିବା ଟ୍ରାଫିକ ଜାମ୍‌ରେ ଫସିଥିବା ଏମ୍‌ଡି ରିଙ୍କୁ, ସୁଜାତା କାରୁଆ, ରୁକ୍ମଣୀ ପାତ୍ର, ଲିଲି ମହାକୁଡ, ପଦ୍ମିନୀ ବାରିକ କହିଛନ୍ତି । ସେମାନେ ଅଭିଯୋଗ କରି କହିଛନ୍ତି ଯେ, ଦୈନିକ ଏହି ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ଗୁଡିକ ନିଜର ଖଣିଜ ପରିବହନ କରୁଛନ୍ତି । ହଜାର ହଜାର ଖଣିଜ ବୋଝେଇ ଟ୍ରକ, ଡମ୍ପର ଓ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଯାହା ଦ୍ୱାରା ଏହି ଟ୍ରାଫିକ ସମସ୍ୟା ଦୈନିକ ଉପୁଜୁଛି । ଖଣି କମ୍ପାନୀ ଗୁଡିକ ନିଜର ଖଣିଜ ପରିବହନ କରିବା ବେଳେ ଜିଲା ପ୍ରଶାସନର ଗାଇଡ ଲାଇନ ଅନୁଯାୟୀ ନିଜର ସୁରକ୍ଷା କର୍ମୀ ନିୟୋଜିତ କରି ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିଥାନ୍ତି । ହେଲେ ଏହି ନୀୟମକୁ ଉଲଂଘନ କରି ଖଣି କମ୍ପାନୀମାନେ ନିଜର ଖଣିଜ ପରିବହନ କରିବାରେ ଲାଗିଛନ୍ତି । ଯାହା ଦ୍ୱାରା ଟ୍ରାଫିକ ସମସ୍ୟା ବିଷମ ହେଉଛି ଏବଂ ଜନ ସାଧାରଣ ହଇରାଣ ହେଉଛନ୍ତି । ବସ୍‌, ଯାତ୍ରୀବାହୀ କମାଣ୍ଡର, ଅଟୋ, ଆମ୍ବୁଲାନ୍ସ, ଛୋଟ ଯାନବାହନ ଏହି ଟ୍ରାଫିକ ଜାମ୍‌ରେ ଅଟକି ରହୁଛନ୍ତି । ଟ୍ରାଫିକ ଜାମ୍ ଏତେ ମାତ୍ରାରେ ହୋଇ ପଡିଛି ଯେ ବାଇକ ଆରୋହୀ କିମ୍ବା ପଥଚାରୀଟିଏ ମଧ୍ୟ ରାସ୍ତା ଅତିକ୍ରମ କରିବା କଷ୍ଟକର ହୋଇ ପଡିଛି । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍ ରହିଥିଲେ ହେଁ କେହି ଏହାକୁ ନିୟନ୍ତ୍ରଣ କରୁନାହାନ୍ତି । ଖଣି ଅଂଚଳରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ସ୍ୱତନ୍ତ୍ର ଟ୍ରାଫିକ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ଥିଲେ ହେଁ ଏହା ମଧ୍ୟ ସଠିକ ଭାବେ କାର୍ଯ୍ୟ କରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ