ଅନଲାଇନ କ୍ଲାସ ହେଉନଥିବା ନେଇ ଏଡିଏମଙ୍କୁ ଅଭିଯୋଗ କଲେ ଛାତ୍ରଛାତ୍ରୀ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କରିଲୋପାଟଣା ମହାବିଦ୍ୟାଳୟର +୩ ପ୍ରଥମବର୍ଷର ଛାତ୍ରଛାତ୍ରୀମାନେ ଅତିରିକ୍ତ ଜିଲ୍ଲାପାଳ ତଥା କଲେଜର ସ୍ୱତନ୍ତ୍ର ଅଧିକାରୀ ବସନ୍ତ କୁମାର ରାଉତଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ୨୦୨୦-୨୧ ଶିକ୍ଷାବର୍ଷର ସେଲଫ ଫାଇନାନସିଂ ମୋଡରେ ଫିସ ଷ୍ଟ୍ରକଚର ଅନୁଯାୟୀ ସେମାନଙ୍କ ପିତାମାତାଙ୍କ ଆର୍ଥିକସ୍ଥିତି ବ୍ୟତିରେକ ସେମିଷ୍ଟର ଫିସ ବାବଦକୁ ବହୁ ଅଧିକ ଅର୍ଥ ଦେଇ ଆଡମିସନ କରିଥିଲେ । କିନ୍ତୁ କଲେଜର ବିଭିନ୍ନ ବିଭାଗରେ ଆବଶ୍ୟକ ସଂଖ୍ୟକ ଷ୍ଟାଫ ନଥିବାର ଆଳ ଦେଖାଯାଇ ସେମାନଙ୍କ କ୍ଲାସ ସଠିକ ଭାବରେ କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । କୋଭିଡ-୧୯ ଯୋଗୁଁ ସେମାନଙ୍କ ରେଗୁଲାର କ୍ଲାସ ବାଧାପ୍ରାପ୍ତ ହୋଇଥିବା ବେଳେ ଆଗକୁ କରୋନାର ଦ୍ୱିତୀୟ ଲହର ଆସୁଥିବା ଅବସରରେ ସରକାରଙ୍କ ଦ୍ୱାରା ପଞ୍ଜିକରଣ କରାଯିବାକୁ ନିର୍ଦେଶ ଆସିଛି । ଅନ୍ୟପକ୍ଷରେ ଭର୍ଚୁଆଲ କ୍ଲାସ ପାଇଁ ସେମାନେ ବିଶ୍ୱାସ ହରାଇ ବସିଥିବା ଅଭିଯୋଗ କରିଛନ୍ତି । କଲେଜ ପକ୍ଷରୁ ଅନଲାଇନ କ୍ଲାସ ନିମନ୍ତେ ମୋବାଇଲ କିଣିବା ପାଇଁ କୁହାଯାଇଥିବା ବେଳେ ଅତ୍ୟନ୍ତ ଦୁସ୍ଥିତି ଅବସ୍ଥାରେ ଥିବା କେତେକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକ ଗାଇ ,ଛେଳି ପ୍ରଭୃତି ବିକି କିଣିଦେଇଥିବା ଏବଂ ଅନ୍ୟ କେତେକ କଲେଜ ପିଲାଙ୍କ ପିତାନଥିବା ଓ ସେମାନେ ବହୁ ଅସୁବିଧାରେ ରହି ପାଠପଢୁଥିବା ବେଳେ ସେମାନେ ମଧ୍ୟ ଧାରଉଧାରକରି ମୋବାଇଲ କିଣିଥିଲେ । କିନ୍ତୁ ଅଦ୍ୟାବଧି ଅନଲାଇନ କ୍ଲାସ ହୋଇପାରିନାହିଁ । ପ୍ରଥମ ସେମିଷ୍ଟାର ପରୀକ୍ଷା ଆଉ ମାତ୍ର ଅଳ୍ପଦିନ ମଧ୍ୟରେ ହେବାକୁ ଯାଉଥିବାରୁ ଏଭଳି ପରିସ୍ଥିତିରେ କଲେଜ କତ୍ତୃପକ୍ଷ ଓ ପ୍ରଶାସକଙ୍କର ଅପରିଣାମଦର୍ଶୀତା ଯୋଗୁଁ ଯେମିତି ସେମାନଙ୍କ ଭବିଷ୍ୟତ ଅନ୍ଧାର ନହୁଏ ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀମାନେ ଅତିରିକ୍ତ ଜିଲ୍ଲାପାଳ ତଥା କଲେଜର ସ୍ୱତନ୍ତ୍ର ଅଧିକାରୀଙ୍କୁ ନିବେଦନ କରିଥିଲେ । କଲେଜର ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଷ୍ଣୁପ୍ରିୟା ମହାନ୍ତି,ପ୍ରହଲ୍ଲାଦ ଜେନା, ବିଶ୍ୱଭୂଷଣ ସ୍ୱାଇଁ, ସୁଜ୍ଞାନୀ ପରିଡା, ସଶ୍ମିତା ନାୟକ, ରମାକାନ୍ତ ନାୟକ, କଲ୍ୟାଣୀ ପ୍ରିୟଦର୍ଶିନୀ ସାମଲ, ସୁଚିସ୍ମିତା ପରିଡା, ସ୍ୱର୍ଣ୍ଣପ୍ରଭା ଜେନା, ରଶ୍ମିତା ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ସାହୁ, ପ୍ରିୟଙ୍କା ସ୍ୱାଇଁ, ରଞ୍ଜନ କୁମାର ପରିଡା, ମାନସୀ ଷଡଙ୍ଗୀ, ପ୍ରିୟଦର୍ଶିନୀ ପରିଡା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।