ଅଭିଯୁକ୍ତ ଅଧିକାରୀଙ୍କୁ ଏକାଧିକ ଦାୟୀତ୍ୱ ଦେଇ ବିବାଦରେ ଜିଲ୍ଲା ପ୍ରଶାସନ
କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କର ଲୁଥେରାନ ମହିଳା ସମିତିର ଶିଶୁ ଯତ୍ନ ଅନୁଷ୍ଠାନର ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମରୁ ଶିଶୁପୁତ୍ର ଜନ୍ମ ଅଭିଯୋଗର ତଦନ୍ତ କରିବା ପରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ଲୁଥେରାନର ସଭାପତି ଓ ସିସିଆଇର ଅଧିକ୍ଷକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପିଓ ଆଇସି ଏବଂ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି । ଏପରିସ୍ଥଳେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ସେହି ଘଟଣାର ଜଣେ ଅଭିଯୁକ୍ତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଅତିରିକ୍ତ ଦାୟୀତ୍ୱ ପ୍ରଦାନ କରିବା ଘଟଣା ସାଧାରଣରେ ଆଲୋଚ୍ୟ ବିଷୟ ପାଲିଟିଛି । ଲୁଥେରାନର ଯୈାନକିଳେଙ୍କାରୀ ଭଳି ଏକ ସଂଗୀନ ଘଟଣାରେ ସଂପୃକ୍ତ ଅଧିକାରୀ ଜଣଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ବେଳେ ସେହି ଅଭିଯୁକ୍ତ ଅଧିକାରୀଙ୍କୁ ଏକାଧିକ ଗୁରୁ ଦାୟୀତ୍ୱ ପ୍ରଦାନ କରାଯିବା ଜିଲ୍ଲା ପ୍ରଶାସନକୁ ବିବାଦ ଘେରକୁ ଟାଣି ଆଣିଛି । ଅନ୍ୟ ପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳଙ୍କ ଦ୍ୱାରା ଲୁଥେରାନ ସିସିଆଇର ବିରୋଧରେ ହୋଇଥିବା ବିଭିନ୍ନ ଅଭିଯୋଗର ତଦନ୍ତ କରିବା ପାଇଁ ଗଠିତ କମିଟିରେ ସଂପୃକ୍ତ ଅଧିକାରୀଙ୍କୁ ରଖାଯାଇ ସେହି କମିଟି ଠାରୁ ତଦନ୍ତ ରିପୋର୍ଟ ଗ୍ରହଣ କରିବା ଅର୍ଥ ତଦନ୍ତକୁ ବାଟବଣା କରିବା ଛଡା ଆଉକିଛି ନୁହେଁ । ଜଣେ ଅଭିଯୁକ୍ତ ଅଧିକାରୀ ନିଜେ ଅଭିଯୁକ୍ତ ଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ସରକାରୀ ନୀତି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ଓ ଆଇନ କାନୁନକୁ ଆଖିଠାର ଛଡା ଆଉକିଛି ନୁହେଁ । ଏଭଳି ଘଟଣା ଦ୍ୱାରା ଜିଲ୍ଲା ପ୍ରଶାସନ ଆପଣା ଛାଏଁ ବିବାଦ ଘେରକୁ ଟାଣି ହୋଇଆସିଥିବା ଦେଖାଯାଇଛି । ଜଣେ ଅଭିଯୁକ୍ତ ଅଧିକାରୀଙ୍କ ଦ୍ୱାରା ନୀରପେକ୍ଷ ତଦନ୍ତ କେଭେବି ସମ୍ଭବ ନୁହେଁ । ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି ଏକ ଜଘନ୍ୟ ଘଟଣାକୁ ଚପାଇଦେବା ଓ ଅଭିଯୁକ୍ତମାନଙ୍କୁ ଘଣ୍ଟଘୋଡାଇବାକୁ ପ୍ରୟାସ କରୁଥିବା ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି । ତୁରନ୍ତ ସଂପୃକ୍ତ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।


