ବିଜେପିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ରମଣ ସିଂହ ପୁଅଙ୍କୁ ମିଳିଲାନି ଟିକଟ
ରାୟପୁର(ଏଜେନ୍ସି): ସାଧାରଣ ନିର୍ବାଚନ ପାଇଁ ବିଜେପି ସପ୍ତମ ପର୍ଯ୍ୟାୟରେ ୯ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଯେଉଁଥିରେ ଛତିଶଗଡ଼ର ୬ଟି ଆସନ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ମେଘାଳୟର ଗୋଟିଏ ଲେଖାଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ମାର୍ଚ୍ଚ ୨୧ରେ ଛତିଶଗଡ଼ର ମୋଟ୍ ୧୧ଟି ଲୋକସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା । ମୋଟାମୋଟି ଭାବେ ଛତିଶଗଡର ମୋଟ୍ ୧୧ଟି ଲୋକସଭା ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀ ଘୋଷଣା କରାଯାଇସାରିଛି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଏହି ଦୁଇଟିଯାକ ପର୍ଯ୍ୟାୟର ପ୍ରାର୍ଥୀତାଲିକାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁଅ ତଥା ରାଜନନ୍ଦଗାଓଁରୁ ସାଂସଦ ଥିବା ଅଭିଷେକ ସିଂହଙ୍କ ନାମ ଉଲ୍ଲେଖ କରାଯାଇନାହିଁ । ଅର୍ଥାତ୍ ଚଳିତ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ଟିକଟ ଦେଇନାହିଁ । ଚଳିତ ନିର୍ବାଚନରେ ଅଭିଷେକଙ୍କ ଆସନରୁ ବିଜେପି ସନ୍ତୋଷ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା ପୂର୍ବକ ଟିକଟ ଦେଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ବିଜେପି ଚଳିତ ନିର୍ବାଚନ ପାଇଁ ପୂର୍ବର ୧ଠ ସାଂସଦଙ୍କ ଟିକଟ କାଟତି କରିଛି । ସମସ୍ତ ନୂଆ ମୁହଁଙ୍କୁ ଭରସା କରି ଦଳ ଏଠାରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଛତିଶଗଡ଼ କୋବ୍ରାରୁ ଜ୍ୟୋତି ନନ୍ଦ ଦୁବେ, ବିଳାସପୁରରୁ ଶ୍ରୀ ଅରୁଣ, ରାଜନନ୍ଦଗାଁଓରୁ ସନ୍ତୋଷ ପାଣ୍ଡେ, ଦୁର୍ଗରୁ ବିଜୟ ବାଘେଲ, ରାୟପୁରରୁ ସୁନୀଲ ସୋନୀ, ମହସମୁଣ୍ଡରୁ ଚୁନିଆଲ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି । ପ୍ରକାଶଯେ, ଦୀର୍ଘ ୧୫ବର୍ଷ ଧରି ଶାସନ କରିଥିବା ବିଜେପିକୁ ୨ଠ୧୮ ବିଧାନସଭା ନିର୍ବାଚନରେ ମାତ୍ର ୧୫ଟି ଆସନ ମିଳିଥିବା ବେଳେ କଂଗ୍ରେସ ୬୮ଟି ଆସନ ଜିତିଥିଲା । ଅନ୍ୟପକ୍ଷେ ତେଲେଙ୍ଗାନାରେ ବିଜେପି ମେଦାକ ଆସନରୁ ରଘୁନନ୍ଦନ ରାଓ, ମେଘାଳୟର ତୁରା ଆସନରୁ ରିକମନ ଡି ମୋମିମ୍ ଏବଂ ମହାରାଷ୍ଟ୍ରର ଭଣ୍ଡାରା-ଗୋନ୍ଦିୟାରୁ ସୁନୀଲ ବାବୁରାଓ ମେଣ୍ଢେରୁ ପ୍ରାର୍ଥୀ କରିଛି ।


