ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାପ
ମୁମ୍ବାଇ : ହରିୟାଣାରେ ବିଜେପି ପାଇଁ ସଙ୍କଟ ଟଳି ଯାଇଥିବା ବେଳେ ମହାରାଷ୍ଟ୍ରରେ ଶିବସେନା ଅଡ଼ୁଆ ବଢ଼ାଇଛି । ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା ଲାଗୁ କରିବାପାଇଁ ଶିବସେନାର ଦାବି ଜୋର୍ ଧରିଛି । ଏହି ୫୦-୫୦ ଫର୍ମୁଲା ଆଧାରରେ ଉଭୟ ବିଜେପି ଏବଂ ଶିବସେନାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ମିଳୁ ବୋଲି ଶିବସେନା ଦାବି କରିଛି । ଶିବସେନାର ଦାବି ଅନୁଯାୟୀ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲାରେ ବୁଝାମଣା ହୋଇଥିଲା । ଏବେ ବିଜେପି ଏହାର ପୂର୍ବ ପ୍ରତିଶ୍ରୁତି ପୂରଣ କରୁ ଏବଂ ୫୦-୫୦ ଫର୍ମୁଲା ଆଧାରରେ ମୁଖ୍ୟମନ୍ତ୍ରୀ ପଦ ଅଢ଼େଇ ବର୍ଷ ପାଇଁ ଉଭୟ ଦଳ ପାଖରେ ରହୁ ବୋଲି ଶିବସେନା ଦାବି କରିଛି । ଶିବସେନା ପକ୍ଷରୁ ଖୋଲାଖୋଲି ଭାବେ କୁହାଯାଇଛି ଯେ, ବିଜେପି ଏ ସଂକ୍ରାନ୍ତରେ ଲିଖିତ ଆଶ୍ୱାସନା ଦେବାପରେ ହିଁ ରାଜ୍ୟରେ ସରକାର ଗଠନ ହେବ । ବିଜେପି ୫୦-୫୦ ଫର୍ମୁଲା କାର୍ଯ୍ୟକାରୀ ନକଲେ ଶିବସେନା ଅନ୍ୟ ବିକଳ୍ପ ସଂପର୍କରେ ମଧ୍ୟ ଚିନ୍ତା କରିବ ବୋଲି ଦଳ ସୁପ୍ରିମୋ ଉଦ୍ଧବ ଠାକରେ ଧମକ ଦେଇଛନ୍ତି ।
ମୁମ୍ବାଇରେ ଦଳର ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ବିଜେପି ଯଦି ପୂର୍ବ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୁଏ ତା’ହେଲେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ସମ୍ଭବ ହେବନାହିଁ । ୫୦-୫୦ ଫର୍ମୁଲା ପ୍ରତିଶ୍ରୁତି ରକ୍ଷା କରି ଦୁଇ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ସମାନ ଭାବେ ବାଣ୍ଟିବା ଉଚିତ ବୋଲି ଉଦ୍ଧବ କହିଛନ୍ତି । ବିଜେପି ଆମ ଦାବି ଗ୍ରହଣ ନକଲେ ଆମ ପାଖରେ ବିକଳ୍ପ ରାସ୍ତା ରହିଛି ବୋଲି ଉଦ୍ଧବ ଚେତାଇ ଦେଇଛନ୍ତି ।
ଶିବସେନାର ନବନିର୍ବାଚିତ ବିଧାୟକମାନେ ମୁମ୍ବାଇରେ ବୈଠକ କରି ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦାବି ଜୋରଦାର କରିଥିବାରୁ ସରକାର ଗଠନ ନେଇ ସମସ୍ୟା ଉପୁଜିଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ ଆସନ ହାସଲ କରିଛି । ଶିବସେନା ୫୬ ଆସନ ଦଖଲ କରିଥିବା ବେଳେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ପ୍ରବଳ ଚାପ ସୃଷ୍ଟି କରିଛି । ରାଜ୍ୟରେ ଏନ୍ସିପି ୫୪ ଆସନ ପାଇଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା କଂଗ୍ରେସକୁ ୪୪ ଆସନ ମିଳିଛି ।


