ଠାକୁରାଣୀ ଶାଳ ସ୍ଥାନାନ୍ତରିତ ନେଇ ବିସ୍ଥାପିତ ଗ୍ରାମବାସୀଙ୍କ ବୈଠକ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ବ୍ଲକର ବାସୁଦେବପୁରଠାରେ ନିର୍ମାଣଧୀନ ଓଡିଶାର ଦ୍ୱିତୀୟ ବୃହତମ ନଦୀବନ୍ଧ ଯୋଜନା କାନପୁର ଡ୍ୟାମ୍ ଦ୍ୱାରା ବିସ୍ଥାପିତ ଲୋକଙ୍କର କେତେକ ଦାବି ପୁରଣ କରିବା ପରେ ଠାକୁରାଣୀ ଶାଳ କୁ ସ୍ଥାନାନ୍ତରିତ କରାଯିବା ନେଇ ବୁଧବାର ବିସ୍ଥାପିତ ଅଂଚଳବାସୀ ବାସୁଦେବପୁରଠାରେ ପ୍ରକଳ୍ପ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରକଳ୍ପ ଅଧିକାରୀ ସୁରେନ୍ଦ୍ର ନାଥ ମିଶ୍ର, ଆଶିଷ୍ଟାନ୍ଟ ଇଂଜିନିୟର ବିଜୟ କୁମାର ସେଠୀ, ଭିକାରୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି ବାସୁଦେବପୁର ବିସ୍ଥାପିତ ଅଂଚଳବାସୀଙ୍କ ସହିତ ଠାକୁରାଣୀ ଶାଳ ସ୍ଥାନାନ୍ତର ନେଇ ଆଲୋଚନା କରିଥିଲେ । ବିସ୍ଥାପିତ ଅଂଚଳବାସୀ ଙ୍କ ୩ ଟି ମୁଖ୍ୟ ଦାବି ରହିଥିଲା । ସେଗୁଡିକ ହେଲା ୨୦୧୮ ସୁଧା ଯେଉଁମାନଙ୍କର ୧୮ ବର୍ଷ ହୋଇଛି , ସେମାନଙ୍କୁ ବିସ୍ଥାପିତ ଆଇନ୍ ଅନୁଯାୟୀ କ୍ଷତିପୂରଣ ପ୍ୟାକେଜ୍ ପ୍ରଦାନ, ଏକ ଖେଳ ପଡିଆ ନିର୍ମାଣ ଓ ସ୍କୁଲ ଘର ନିର୍ମାଣ ସହିତ ଆର୍ଥିକ ସହାୟତା ଯୋଗାଇବା । ଏହି ଦାବି ଗୁଡିକ କାନପୁର ପ୍ରକଳ୍ପ ପକ୍ଷରୁ ପୂରଣ କରାଗଲେ ନଦୀ ବନ୍ଧ ଯୋଜନା ସ୍ଥାନରେ ରହିଥିବା ଉକ୍ତ ଠାକୁରାଣୀ ଶାଳକୁ ସ୍ୱଇଛାରେ ସ୍ଥାନାନ୍ତର କରିବାକୁ ଦିଆଯିବ ବୋଲି ବୈଠକରେ ଉପସ୍ଥିତ ଥିବା ବିସ୍ଥାପିତ ଅଂଚଳ କଣ୍ଡରା ଗ୍ରାମପନଚାୟତ ସରପନଚ ଗାୟତ୍ରୀ ନାଏକ ଓ ବାସୁଦେବପୁର ଗ୍ରାମର ପୂର୍ବତନ ସୈନିକ ଧନେଶ୍ୱର ନାଏକ କହିଛନ୍ତି । ସେମାନେ ଅଭିଯୋଗ କରି କହିଛନ୍ତି ଯେ, ପୂର୍ବରୁ ସେମାନେ ବିଭିନ୍ନ ଦାବି କରି ପ୍ରକଳ୍ପ କର୍ତୁପକ୍ଷଙ୍କୁ ଅବଗତ କରିଥିଲେ । ପ୍ରକଳ୍ପ ଅଧିକାରୀମାନେ ଦାବିପୂରଣର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଦାବି ପୂରଣ ହେବା ପୂର୍ବରୁ ଉକ୍ତ ଅଧିକାରୀମାନଙ୍କର ବଦଳି ହୋଇଯାଉଥିଲା । ଅଧିକାରୀ ବଦଳି ହେଲେ ନୂତନ ଭାବେ ଆସୁଥିବା ଅଧିକାରୀମାନେ ପୁଣି ଥରେ ପ୍ରତିଶ୍ରୁତି ଦେଇଥାନ୍ତି । ହେଲେ ସେମାନଙ୍କର ଦାବି ଗୁଡିକ କେବଳ ପ୍ରତିଶ୍ରୁତିରେ ରହିଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଣିକି ଆଉ ପ୍ରତିଶ୍ରୁତିକୁ ବିଶ୍ୱାସ ନକରି ବିସ୍ଥାପିତ ମାନେ ଆନ୍ଦୋଳାତ୍ମକ ପଦକ୍ଷେପ ନେବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଥିଲେ । ଏନେଇ ପ୍ରକଳ୍ପର ଆସିଷ୍ଟାନ୍ଟ ଇନଜିନିୟର ବିଜୟ କୁମାର ସେଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି କାନପୁର ଡ୍ୟାମ ପ୍ରକଳ୍ପର ଅଧିକାଂଶ କାର୍ଯ୍ୟ ପ୍ରାୟତଃ ସରିଗଲାଣି । କିନ୍ତୁ , ଠାକୁରାଣୀଙ୍କ ଶାଳ ଥିବା ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଛି । । ନୂତନ ସ୍ଥାନକୁ ଠାକୁରାଣୀ ଶାଳ ସ୍ଥାନାନ୍ତର ହେଲେ ମା ଠିକ୍ ଭାବରେ ପୂଜା ପାଇପାରିବେ ଏବଂ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଠିକ୍ ଭାବରେ ଚାଲିପାରିବ ବୋଲି ସେ କହିଥିଲେ । ବୁଧବାର ଠାକୁରାଣୀ ଶାଳକୁ ସ୍ଥାନାନ୍ତର କରିବା ପାଇଁ ତାରିଖ ଧାର୍ଯ୍ୟ କରିବା ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇଥିଲା । କିନ୍ତୁ, ପୂର୍ବରୁ କେତେକ ଦାବି ପୂରଣ ନେଇ ଗ୍ରାମବାସୀମାନେ ଏହାକୁ ବିରୋଧ କରୁଛନ୍ତି । ତେବେ ସେମାନଙ୍କର ଦାବି ପୂରଣ ନେଇ ସେ କିଛି କହି ପାରିବେ ନାହିଁ ବୋଲି ସେ କହିଥିଲେ । ସରକାରୀ ସିଷ୍ଟମ ଅନୁସାରେ ଗ୍ରାମବାସୀମାନେ ଦାବି ପୂରଣ କରିପାରିବେ ବୋଲି ସେ କହିଥିଲେ । ପ୍ରକଳ୍ପ ଅଧିକାରୀମାନେ ମାନେ ପ୍ରତିଶ୍ରୁତି ଦେଇ ବଦଳି ହୋଇଯାଉଛନ୍ତି କିନ୍ତୁ ଦାବି ପୂରଣ ହୋଇପାରୁନାହିଁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, କେଉଁ ଅଫିସରଙ୍କ କେଉଁ ଦାୟିତ୍ୱ ଗ୍ରାମବାସୀମାନେ ଠିକ୍ ଭାବରେ ଜାଣି ନାହାନ୍ତି । ଜଣେ ଅଧିକାରୀ ବଦଳି ହେବା ପରେ ନୂତନ ଭାବେ ଆସୁଥିବା ଅଧିକାରୀଙ୍କୁ ନିଜର ଦାୟିତ୍ୱ ହସ୍ତାନ୍ତର କରିଥାନ୍ତି । ଯଦି ଲୋକେ ନବୁଝିବେ ତାହେଲେ ତାଙ୍କ ପକ୍ଷେ ସେମାନଙ୍କୁ ବୁଝାଇବା ଅସମ୍ଭବ ବୋଲି ସେଠୀ କହିଥିଲେ ।