ଶୟନରତ ହନୁମାନ

ଆହ୍ଲାବାଦରେ ଥିବା ହନୁମାନ ମନ୍ଦିର ଏହାର ସ୍ୱତନ୍ତ୍ର ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ । ଏହା ପୃଥିବୀର ଏକମାତ୍ର ଏପରି ମନ୍ଦିର ଯେଉଁଠି ହନୁମାନଙ୍କ ମୂର୍ତ୍ତି ଶୋଇରହିଥିବା ଅବସ୍ଥାରେ ପୂଜା ପାଉଛନ୍ତି । କୁହାଯାଏ ଏହି ମନ୍ଦିରକୁ ଆସି ହନୁମାନଙ୍କ ଦର୍ଶନ ନ କଲେ ଆହ୍ଲାବାଦର ପବିତ୍ର ସଙ୍ଗମସ୍ଥଳକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ହୋଇ ନ ଥାଏ । ନଦୀରେ ବନ୍ୟା ଆସିଲେ ଏହି ମନ୍ଦିର ବୁଡ଼ିଯାଇଥାଏ । ପୁରାଣ ଅନୁସାରେ ଏହି ସମୟରେ ମାତା ଗଙ୍ଗା ହନୁମାନଙ୍କୁ ସ୍ନାନ କରାଇବାକୁ ଆସିଥାନ୍ତି । ଅନ୍ୟ ଏକ ପୌରାଣିକ କଥାବସ୍ତୁ ଅନୁସାରେ ଲଙ୍କାରେ ବିଜୟ ପ୍ରାପ୍ତି ପରେ ଭଗବାନ ଶ୍ରୀରାମ ଆହ୍ଲାବାଦର ସଙ୍ଗମସ୍ଥଳକୁ ସ୍ନାନ କରିବାକୁ ଆସିଥିଲେ । ଏହି ସମୟରେ ତାଙ୍କ ପ୍ରିୟ ଭକ୍ତ ହନୁମାନ ବିଶ୍ରାମ ପାଇଁ ଏଠାରେ କିଛି କ୍ଷଣ ଲାଗି ଗଡ଼ି ପଡିଥିଲେ । ଏହା ଦେଖି ମାତା ଜାନକୀ ନିଜ ମଥାର ସିନ୍ଦୂରରେ ତାଙ୍କ ଶ୍ରମ ଲାଘବ କରି ଚିରଞ୍ଜିବୀ ହେବାକୁ ଆଶୀର୍ବାଦ ଦେଇଥିଲେ । ସେହିଦିନଠାରୁ ଏହି ମନ୍ଦିରରେ ହନୁମାନଙ୍କୁ ସିନ୍ଦୂର ଚଢ଼ାଇବାର ପରମ୍ପରା ରହିଛି । ୧୭୮୭ରେ ଏହି ମନ୍ଦିରର ନିର୍ମାଣ ହୋଇଥିଲା । ମନ୍ଦିରରେ ୨୦ ଫୁଟର ହନୁମାନ ମୂର୍ତ୍ତି ଶୋଇଥିବା ଅବସ୍ଥାରେ ରହିଛନ୍ତି । ମନ୍ଦିରରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ମୂର୍ତ୍ତି ମଧ୍ୟ ରହିଛି । ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ରାତି ସାରା ଖୋଲା ରହିଥାଏ । ବିଶ୍ୱାସ ରହିଛି ଏହି ମନ୍ଦିରରେ ମାନସିକ କଲେ ତାହା ହନୁମାନ ପୂରଣ କରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ