ସରସଦା ସମିତି ଠାରେ ସମ୍ପାଦକ ନିଯୁକ୍ତ
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ବାଲେଶ୍ୱର –ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିନ ବିବାଦୀୟ ସରସଦା ସମିତି ଠାରେ ନୂତନ ସଭାପତି ନିଯୁକ୍ତ ହୋଇଥିବା ଜଣାପଡିଛି । ବିଭିନ୍ନ ବେଆଇନ ଓ ବିବାଦୀୟ କାର୍ଯ୍ୟ ଯୋଗୁ ଏଠାରୁ ଦୁଇଜଣ ସମ୍ପାଦକଙ୍କୁ ବଦଳି କରାଯାଇଥିବାବେଳେ ତେସିଙ୍ଗା ସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇଙ୍କୁ ସରସଦା ସମିତି ପରିଚାଳନା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଶ୍ରୀ ଖଣ୍ଡାଇ ଦୀର୍ଘଦିନ କାର୍ଯ୍ୟ କରିବା ପରେ କର୍ମଚାରୀ ଅଭାବ କାରଣରୁ ଧାନ ପଞ୍ଜିକରଣ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲା । ଫଳରେ ନୂତନ ସମ୍ପାଦକ ନିଯୁକ୍ତି ପାଇଁ ଦାବି ଜଣାଯାଇଥିଲା । ଉପରିସ୍ଥ ଅଧିକାରୀ ମାନେ ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ ନେରଡା ସମିତି ସହକାରୀ ସମ୍ପାଦକ ଲୋକନାଥ ବୋଇତାଇଙ୍କୁ ସରସଦା ସମିତି ସମ୍ପାଦକ ଭାବେ ନିଯୁକ୍ତ ଦେଇଥିବା ଜଣାପଡିଛି । ନୂତନ ସମ୍ପାଦକ ଯୋଗଦେବା ପରେ ସମିତି ଅଧିନ ବରିଷ୍ଠ ଚାଷୀ ପିତାମ୍ବର ନାୟକ, ଦେବେନ୍ଦ୍ର ଷେଣ୍ଢ, ଦେବେନ୍ଦ୍ର ଧଳ, ରାମଚନ୍ଦ୍ର ସେନାପତି, ଚନ୍ଦ୍ରମଣି ପରିଡା, ଭାଗିରଥି ତ୍ରିପାଠୀ, ସଦାନନ୍ଦ ଶାଶିନୀ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିବାବେଳେ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ ପାଇଁ ଆଶାପ୍ରକଟ କରିଛନ୍ତି ।