ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର
ଧାମନଗର (ଓ୍ବାଇଏନଏସ): ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୃଷ୍ଟିକୁ ଆସିଥିଲା। ଏହି ଘଟଣାକୁ ସାରା ଦେଶରେ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଗଭୀର ଦୁଃଖ ଓ କ୍ଷୋଭ ଏବଂ ଆକ୍ରୋଶ ସୃଷ୍ଟି କରିଛି।ଉକ୍ତ ଘଟଣାକୁ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ଥିବା କଲକାତାର ବାସିନ୍ଦା ନାଜିଆ ଏଲାହି ଖାନ ନାମକ ଜଣେ ମହିଳାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ମଙ୍ଗଳବାର ୪ଟା ସମୟରେ ଧାମନଗର ଖାନକା ସରିଫ ପୀରବାବାଙ୍କ ସାନ ନାତି ମୌଲାନା ଆଲହାଜ ସୟଦ ଗୋଲାମ ଅହେମ୍ମଦ ହବିବି (ମସ୍ତାନ-ଏ ମିଲ୍ଲାତ) ନାତୁଣୀ ଜ୍ୱାଇଁ ଏମଡି ଫଜଲେ ବାରିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କୁ ଉକ୍ତ ମହିଳାଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଧାମନଗର ମୁସଲିମ ଜମାତର କର୍ମକର୍ତ୍ତା ଓ ସଦସ୍ୟ,ସମାଜସେବୀ ବୁଦ୍ଧିଜୀବୀ,ଯୁବ ବନ୍ଧୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


