୫୩ ବର୍ଷରେ ଗଞ୍ଜାମ ମହାବିଦ୍ୟାଳୟ: ନାହିଁ ପଟ୍ଟା , ମିଳୁନି ସ୍ୱୀକୃତି, ଖୋଜୁଛି ଅସ୍ତିତ୍ୱ

ଗଞ୍ଜାମ, (ବିନୋଦ ପଲେଇ): ନାହିଁ ନିଜସ୍ଵ ପଟ୍ଟା , ମିଳୁନି ନାକ ସ୍ୱୀକୃତି ଓ ହଜି ଯାଉଛି ସୁନାମ, ନାନାଦି ସମସ୍ୟାରେ ଛନ୍ଦି ହୋଇପଡିଥିବା ଗଞ୍ଜାମ ମହାବିଦ୍ୟାଳୟ ଏବେ ୫୩ ବର୍ଷରେ। ଏକଦା ଓଡ଼ିଶାର ସର୍ବପୁରାତନ ୫୦ ମହାବିଦ୍ୟାଳୟ ମଧ୍ୟରେ ଅନ୍ୟତମ ଏହି ମହାବିଦ୍ୟାଳୟ ,ଆଜି ଶ୍ରୀହୀନ। ସରକାରୀ କି ପ୍ରଶାସନ ଅବହେଳା ହେଉ କି ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ କ୍ଷୀଣ ସ୍ୱର ଯୋଗୁଁ ବର୍ତ୍ତମାନର ତାର ଅସ୍ତିତ୍ୱ ଖୋଜୁଛି ଏହି ମହାବିଦ୍ୟାଳୟ। ଗଞ୍ଜାମ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଅଞ୍ଚଳବାସୀଙ୍କ ଅକ୍ଲାନ୍ତ ଉଦ୍ୟମ ଓ ଶିକ୍ଷାପ୍ରେମୀଙ୍କ ପ୍ରଚେଷ୍ଟାରେ ୧୯୬୯ ମସିହା ଅଗଷ୍ଟ ସାତ ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ମହାବିଦ୍ୟାଳୟ।ଏହି ମହାବିଦ୍ୟାଳୟକୁ ପୁରୀ ଜିଲ୍ଲାଠାରୁ ଆରମ୍ବ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଦ୍ୟାର୍ଥୀ ମାନେ ଆସି ଏଠାରେ ଶିକ୍ଷା ଗ୍ରହଣ କରି ଦେଶ ଓ ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବା ସହ ମହାବିଦ୍ୟାଳୟର ଗୌରବ ଆଣିଥିବା ବେଳେ ଆଜି ତାହା ସ୍ୱପ୍ନରେ ପରିଣତ ହୋଇଛି। ସରକାରୀ ଅବହେଳାର ଶିକାର ହୋଇ ଆବଶ୍ୟକ ବିଭିନ୍ନ ବିଭାଗରେ ଦୀର୍ଘ ଦିନ ଧରି ଅଧ୍ୟାପକ ଅଧ୍ୟାପିକା ପଦବୀ ଖାଲିପଡିଛି। ଓଡ଼ିଆ ବିଭାଗରେ ଦୁଇ, ଇତିହାସ ବିଭାଗରେ ଦୁଇ, ଇଂରାଜୀ ବିଭାଗରେ ତିନି, ରାଜନୈତିକ ବିଭାଗରେ ଏକ, ଅର୍ଥଶାସ୍ତ୍ର ବିଭାଗରେ ଦୁଇ, ଉଦ୍ଭିଦ ବିଜ୍ଞାନ ରେ ଏକ,ପ୍ରାଣୀ ବିଜ୍ଞାନରେ ଏକ ବାଣିଜ୍ୟ ବିଭାଗରେ ଦୁଇ ପଦବୀ ଖାଲି ପଡ଼ିଛି। ଯାହାଫଳରେ ଶିକ୍ଷାର ମାନ କୋହଳ ହେବାରେ ଲାଗିପଡିଛି। ୨୦୧୧ ମସିହାରୁ ସ୍ଥାୟୀ ଅଧ୍ୟକ୍ଷ ପଦ ଖାଲିପଡିଛି। ଅନ୍ୟପଟେ ପ୍ରାୟ ଅଣ ଶିକ୍ଷକ କର୍ମଚାରୀ ଅବସର ନେବାପରେ , ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଣ ଶିକ୍ଷକ କର୍ମଚାରୀଙ୍କ ଦ୍ଵାରା ମହାବିଦ୍ୟାଳୟ ଚାଲୁଥିବା କହିଲେ ଅତୁକ୍ତି ହେବନାହିଁ।୧୯୬୯ ମସିହା ରୁ ଆଜି ପର୍ଯ୍ୟନ୍ତ ଏହି ମହାବିଦ୍ୟାଳୟକୁ , ୫୩ ବର୍ଷ ବିତିଯିବା ସ୍ୱତେ ମହାବିଦ୍ୟାଳୟର ନିଜସ୍ୱ ପଟ୍ଟା ହୋଇପାରିନାହିଁ। ମହାବିଦ୍ୟାଳୟ ଜଗାଟି ଜୈନିକ ବ୍ୟକ୍ତିଙ୍କ ଠାରୁ କିଣାଯାଇଥିବା ବେଳେ, ଅନ୍ୟ ଜାଗା ରେଳ ବାଇ, ମତ୍ସବିଭାଗ ଅଧୀନରେ ରହିଥିବା ଦେଖାଯାଇଛି। ଯାହା ପଟ୍ଟାହେବାରେ ବାଧକ ସୃଷ୍ଟି କରୁଛି।ବିଦ୍ୟାର୍ଥୀଙ୍କ ପାଇଁ ସ୍ମାର୍ଟକ୍ଳାସ ରୁମ, କମ୍ପୁଟ ର ଲେବ, ବିଜ୍ଞାନଗାର, ଉନ୍ନତ ପାଠାଗାର ନଥିବା ଦେଖାଯାଇଛି ।୨୦୧୦-୧୧ ରେ ମହାବିଦ୍ୟାଳୟର ଉନ୍ନୟନ ପାଇଁ ଯୁଜିସି ଗ୍ରାଣ୍ଟ ପାଇଁ ସୁପାରିଶ କରାଯାଇଥିବା ବେଳେ ଆବଶ୍ୟକ ଭିତ୍ତିଭୂମିର ଅଭାବରୁ ତାହାପ୍ରଦାନ କରାଯାଇନଥିବା ଜାଣଯାଇଛି। ପରବର୍ତ୍ତୀ ସମୟରେ ଆଉ ୟୁଜିସି ଗ୍ରାଣ୍ଟ ପାଇଁ ସୁପାରିଶ କରାଯାଇନଥିବା ଜଣାପଡିଛି।ମହାବିଦ୍ୟାଳୟର କୋଠା ନିର୍ମାଣ ଓ ବିଜ୍ଞାନଗାର ପାଇଁ ସରକାରଙ୍କ ତରଫରୁ ଦୁଇ କିସ୍ତିରେ ୨୭ଲକ୍ଷ୫୦ ହଜାର ଟଙ୍କା ଆସିଥିବା ଜଣା ପଡ଼ିଛି। ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଙ୍କ ସହ ଯୋଗାଯୋଗ କରିବାରୁ ପଟ୍ଟା ଓ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ନାକଟିମ ଓ ଯୁଜିସି ଗ୍ରାଣ୍ଟରୁ ବଞ୍ଚିତ ହେବାକୁ ପଡୁଛି । ଏହା କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା ଚାଲିଥିବା କହିଛନ୍ତି। ଅନ୍ୟପଟେ ବର୍ତ୍ତମାନ ପରିଚାଳନା କମିଟିର ସଭାପତି ପ୍ରଶାସନିକ ଅଧିକାରୀ ଥିବାବେଳେ , ଯେପରି ଉନ୍ନୟନ ହେବ ବୋଲି ଆଶା କରାଯାଉଥିଲା , ତାହା ମରୀଚିକା ସଦୃଶ ପାଲଟିଛି। ଅନ୍ୟପଟେ ଏକଦା ବାଣିଜ୍ୟ ବିଭାଗ ପାଇଁ ସାରା ଓଡ଼ିଶାରେ ମହାବିଦ୍ୟାଳୟର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିବା ବେଳେ , ଚଳିତ ବର୍ଷ ଯୁକ୍ତତିନି ବାଣିଜ୍ୟ ବିଭାଗ ସରକାର ଉଠାଇଦେଇଥିବା ନେଇ ଜଣାପଡିବ ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଅଧ୍ୟକ୍ଷ ନନ୍ଦ ଓ ବିଶେଷ କରି ଉଚ୍ଚଶିକ୍ଷାବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଲଷ୍ମୀଧର ତ୍ରିପାଠୀ ଓ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟାରେ ପୁନର୍ବାର ମହାବିଦ୍ୟାଳୟକୁ ବାଣିଜ୍ୟ ବିଭାଗ ରହିବା ପାଇଁ ସ୍ୱୀକୃତି ମିଳିଥିବା ଜଣାପଡିଛି। ଏକଦା ନାରୀର ଶିକ୍ଷାର ବିକାଶ ତଥା ଏକ ଶିକ୍ଷିତ ସମାଜ ଗଠନ ନେଇ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ଆଜି ତାର ଅସ୍ତିତ୍ବ ଖୋଜୁଥିବା ଦେଖାଯାଇଛି ।ଅପରେ ପକ୍ଷରେ ପ୍ରଶାସନିକ ଅବହେଳା ତଥା ରାଜନୈତିକ ଇଛାଶକ୍ତିର ଅଭାବରୁ ମହାବିଦ୍ୟାଳୟର କୌଣସି ଆଶାନୁରୂପକ ଉନ୍ନତି ପରିଲକ୍ଷିତ ହେଉନଥିବା କୁହାଯାଉଛି। ଅଞ୍ଚଳବାସୀଙ୍କ ଏକ ଆଦର୍ଶ ମହାବିଦ୍ୟାଳୟର ସ୍ୱପ୍ନ ଆଜି କେବଳ ଏକ ସ୍ୱପ୍ନ ହୋଇରହିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ