ଓଏଲଏମ ବଦଳି ପରେ ମହିଳା ସଂଘ କାର୍ଯ୍ୟ ବାଧାପ୍ରାପ୍ତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଓଡିଶା ଜୀବିକା ମିଶନର ଓଏଲଏମ ଅଧିକାରିଣୀଙ୍କ ବଦଳି ପରେ ପ୍ରାୟ ୬ଗୋଟି ପଞ୍ଚାୟତ ମହିଳା ସଂଘର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଓଏଲଏମଙ୍କ ବଦଳି ପରେ ଦୀର୍ଘ ଏକ ସପ୍ତାହ ଧରି ଏସଏଚଜି ମହିଳା ମାନେ ଅସନ୍ତୋଷ ବ୍ୟକ୍ତ କରି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଯାହାକୁ ନେଇ ପ୍ରଶାସନ ଓ ମହିଳା ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବଦଳିକୁ ବିରୋଧ କରି ମହିଳାମାନେ ବିଭାଗୀୟ କାର୍ଯ୍ୟାଳୟକୁ ତାଲା ପକାଇଥିଲେ । ଯାହାକୁ ନେଇ ବିଡିଓଙ୍କ ଅଭିଯୋଗକ୍ରମେ ଥାନାରେ ୭ଜଣ ମହିଳାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା । ବଦଳି ହୋଇଥିବା ଓଏଲଏମ ଜଣକ ବନ୍ତ ବ୍ଲକରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏପଟେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ବୟାବନାପୁର, ଦକ୍ଷିଣବାଡ, ସରସଦା, ନେରଡା, ରାମଚନ୍ଦ୍ରପୁର ପ୍ରମୁଖ ଛଅଗୋଟି ପଞ୍ଚାୟତ ମହିଳା ସଂଘ କାର୍ଯ୍ୟ ଏବେ ବାଧାପ୍ରାପ୍ତ ହୋଇଥିବା ସୂଚନା ଦିଆଯାଇଛି । କାରଣ ଉକ୍ତ ପଞ୍ଚାୟତ ମହିଳା ସଂଘ ପରିଚାଳନା ଦାୟିତ୍ୱ ବଦଳି ହୋଇଥିବା ଓଏଲଏମ ଅଧିକାରିଣୀଙ୍କ ହାତରେ ଥିବାବେଳେ ଏବେ ସୁଦ୍ଧା ଅନ୍ୟ କୌଣସି ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର ହୋଇନଥିବା ଜଣାପଡିଛି । ଯାହାକୁ ନେଇ କିଛି ମହିଳା ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି । ତୁରନ୍ତ ନୂତନ ଓଏଲଏମ ନିଯୁକ୍ତି ଓ ସାତଜଣ ମହିଳାଙ୍କ ଉପରୁ ମାମଲା ପ୍ରତ୍ୟାହାର ପାଇଁ ଦାବି କରାଯାଇଛି ।