କେମିକାଲ ବଝେଇ ଟ୍ରକରୁ ଡ଼କାୟତ ଉଦ୍ୟମ, ଡ୍ରାଇଭରକୁ ହତ୍ୟା, ହେଲପର ଅଳ୍ପକେ ରକ୍ଷା
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସ୍ଥାନୀୟ ୪୯ ନଂ ଜାତୀୟ ରାଜପଥ ସ୍ଥିତ ନୂଆଗାଁ ପଞ୍ଚାୟତର ଧାଙ୍ଗୁଡିମୁତା ଛକ ଠାରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଚାଳକ ଠାରୁ ଲୁଟ ଉଦ୍ୟମ ସମୟରେ ଉକ୍ତ ଟ୍ରକଚାଳକକୁ ଦୁର୍ବୁତ୍ତ ମାନେ ନିର୍ମମ ହତ୍ୟା କରିଛନ୍ତି।ସେହିପରି ଏହି ଘଟଣାରୁ ଟ୍ରକର ହେଲ୍ପର ଅଳ୍ପକେ ବର୍ତିଯାଇଥିବାର ଜଣାପଡିଛି। ମୃତ ଟ୍ରକ ଚାଳକ ଜଣକ ହେଲେ ମହାରାଷ୍ଟ୍ର ର ନାଗପୁର ଜିଲ୍ଲାର କପିଳନଗର ଥାନା ଅନ୍ତର୍ଗତ ମାଡ଼ାକଲନି ଗ୍ରାମର ମଣ୍ଟୁ ରାଜପୁତ (୨୩)।ସେହିପରି ଟ୍ରକ ଚାଳକର ସହଯୋଗୀ ହେଲ୍ପର ଜଣକ ହେଲେ ସେହି ଗ୍ରାମର ଦେବେନ୍ଦ୍ର ସାନ୍ତରାମ କୁମେର (୧୯) ।ସୂଚନାଥାଉକି, ଏକ କେମିକାଲ ବଝେଇ ଟ୍ରକ(ଏନ. ଏଲ ୦୨ କ୍ୟୁ ୯୩୨୫) ୪୯ ନଂ ଜାତୀୟ ରାଜପଥ ଦେଇ ଗୁଜୁରାଟ ଠାରୁ ମହାରାଷ୍ଟ୍ର ଯାଉଥିବା ସମୟରେ ଛେଳିଗୁଦୁଳି ଘାଟି ତଳେ ଥିବା ନୂଆଗାଁ ପଞ୍ଚାୟତର ଧାଙ୍ଗୁଡିମୁତା ଛକ ଠାରେ ପମ୍ପଚର ହୋଇଯାଇଥିଲା।ଉକ୍ତ ଟ୍ରକର ଚକ ମରାମତି ନିମନ୍ତେ ଟ୍ରକ ମଧ୍ୟରେ ଉପସ୍ଥିତ ଚାଳକ ଓ ହେଲ୍ପର ଟ୍ରକରୁ ଓହ୍ଲାଇ ଟ୍ରକର ଚକ ମରାମତି କାମ କରୁଥିଲେ।ମରାମତି କାମ ସରିବା ପରେ ରାତ୍ରି ପ୍ରାୟ ୨ ଟା ୩୦ ଘଟିକା ସମୟରେ ୩ ଜଣ ଦୁର୍ବୁତ୍ତ ମାସ୍କ ପିନ୍ଧି ଠେଙ୍ଗା ଧରି ଆସି ଟ୍ରକ ଚାଳକ ଓ ହେଲ୍ପରକୁ ଭୟଭୀତ କରିବା ସହିତ ତାଙ୍କ ଠାରୁ ଲୁଟ ଉଦ୍ୟମ କରୁଥିଲେ।ଏହି ସମୟରେ ହେଲ୍ପର ଦେବେନ୍ଦ୍ର ଦୁର୍ବୁତ୍ତ କବଳରୁ ଅଳ୍ପକେ ବର୍ତିଯାଇ ଧାଇଁ ପଳାଇ ଏକ ଢ଼ାବା ରେ ଲୁଚି ଯାଇଥିଲେ।ସେହିପରି ଡ୍ରାଇଭର ଜଣକ ଠାରୁ ଲୁଟ ଉଦ୍ୟମ ସମୟରେ ଦୁର୍ବୁତ୍ତ ମାନଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା।ପରେ ଦୁର୍ବୁତ୍ତ ମାନେ ମଣ୍ଟିଙ୍କୁ ଠେଙ୍ଗାରେ ପିଟିଥିଲେ ଫଳରେ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।ପରେ ଦୁର୍ବୁତ୍ତ ମାନେ ମୃତ ଟ୍ରକ ଚାଳକଙ୍କୁ ନିକଟସ୍ଥ ବିଲ ମଧ୍ୟରେ ଫୋପାଡି ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।ଆଜି ସକାଳେ ହେଲ୍ପର ଘଟଣା ସ୍ଥଳକୁ ଆସି ଟ୍ରକ ଡ୍ରାଇଭର ମଣ୍ଟୁକୁ ଖୋଜାଖୋଜି କରିଥିଲା। ମାତ୍ର ନିଜ ସହଯୋଗୀକୁ ନପାଇ ଟ୍ରକଟିକୁ ଏକ ଢ଼ାବା ନିକଟକୁ ନେଇ ଯାଇଥିଲା।ଏହି ବିଷୟରେ ଆଜି ସକାଳେ ବିଶୋଇ ପୋଲିସକୁ ସୂଚନା ମିଳିବା ପରେ ଅତିରିକ୍ତ ଏସ.ପି ମନୋରଞ୍ଜନ ବିଶ୍ୱାଳ ସମେତ ବିଶୋଇ ଥାନା ଅଧିକାରୀ ଫଣିନ୍ଦ୍ର ଭୂଷଣ ନାଏକ ପୋଲିସ ଟିମ ସହିତ ପହଁଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀକୁକୁର ସହାୟତାରେ ଘଟଣାର ତଦନ୍ତ କରିଥିଲେ।ପରେ ଶବକୁ ଉଦ୍ଧାର କରି ରାଇରଙ୍ଗପୁରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।ଏହି ଘଟଣାରେ ସଂପୃକ୍ତ ଦୁର୍ବୁତ୍ତ ମାନଙ୍କୁ ଗିରଫ କରିବା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୧୦୪/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇଛି।


