ଟଙ୍କା ଭର୍ତ୍ତି ଏଟିଏମ୍ ଭ୍ୟାନ୍ ଅପହରଣ,୨୪ ଲକ୍ଷ ଲୁଟ୍, ଅଚେତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର
ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରରେ ବୁଧବାର ଦିନ ସ୍ପଷ୍ଟ ଦିବାଲୋକରେ ଏଟିଏମରେ ଟଙ୍କା ଭରିବାକୁ ଯାଉଥିବା ଗାଡିକୁ ଅପହରଣ କରି ସେଥିରେ ଥିବା ୨୪ ଲକ୍ଷ ଲୁଟ୍ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ବ୍ରହ୍ମପୁରର ଜନଗହଳି ଅଞ୍ଚଳରୁ ଏହି ଗାଡ଼ିକୁ ଅପହରଣ ହେବା ଓ ପରେ ଅବସ୍ଥାରେ ଗିରିସୋଲାରୁ ଏହାକୁ ଠାବ୍ କରାଯିବା ସହ ଅଚେତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର ଘଟଣାରେ ସଂସ୍ଥାର ଉପରେ ସନ୍ଦେହ ସୃଷ୍ଟି କରାଉଛି । ତେବେ ଉଦ୍ଧାର ଡ୍ରାଇଭରକୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ତାର ତନାଘନା ଜାରି ରଖିଛି ।ସୂଚନାନୁଯାୟୀ ବୁଧବାର ଦିନ ୧୧.୪୦ ମିନିଟ୍ରେ ବ୍ରହ୍ମପୁର ଧର୍ମନଗର ସ୍ଥିତ ଏକ୍ସିସ୍ ବ୍ୟାଙ୍କରୁ ଏଟିଏମ୍ରେ ଭର୍ତ୍ତି ପାଇଁ ଆଉଟ ସୋର୍ସିଂ ସଂସ୍ଥା ଏଜିଏସର ଗାଡ଼ି ନଂ(ଓଡ଼ି୦୨ ବିଡ଼ି ୮୮୧୬) ୨୬ ଲକ୍ଷ ଟଙ୍କା ନେଇ ବାହାରିଥିଲା । ସେଠାରୁ ଗାଡ଼ିଟି ଅନ୍ୟ ତିନି ଜଣ କର୍ମଚାରୀ ସହ ଆସିକା ରୋଡ଼ ସ୍ଥିତ ଏକ୍ସିସ୍ ବ୍ୟାଙ୍କ ଏଟିଏମ୍କୁ ଯାଇଥିଲା । ଏହାପରେ ଗାଡ଼ିରୁ ତିନି ଜଣ କର୍ମଚାରୀ ୨ଲକ୍ଷ ଟଙ୍କା ନେଇ ଏଟିଏମ୍ ଭିତରକୁ ଯାଇ ଟଙ୍କା ଭର୍ତ୍ତି କରିଥିଲେ । ପରେ ସେମାନେ ଫେରିବା ବେଳେ ସେଠାରେ ଗାଡ଼ି ଏବଂ ଡ୍ରାଇଭରକୁ ପାଇନଥିଲେ । କିଛି ସମୟ ଏପଟେ ସେପେଟ ଖୋଜା ଖୋଜି ପରେ କର୍ମଚାରୀ ମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଅପରାହ୍ନ ବେଳେ ଗାଡ଼ିଟି ଗିରିସୋଲା ନିକଟରେ ଥିବା ପୋଲିସକୁ ଖବର ମିଳିଥିଲା । ଖବର ପାଇ ପୋଲିସ ସେଠାରେ ପହଞ୍ଚିଲା ବେଳକୁ ଗାଡ଼ି ଭିତରେ ଡ୍ରାଇଭର ଆଶିଷ ଦିଗାଲ୍ ଅଚେତ୍ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଗାଡ଼ିରେ ଥିବା ୨୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିଲା । ଅଚେତ୍ ଡ୍ରାଇଭର୍କୁ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇଥିଲା । ତେବେ ଆସିକା ରୋଡ଼ରୁ ଗିରିସୋଲା ଯିବା ପର୍ଯ୍ୟନ୍ତ ଡ୍ରାଇଭର ଗାଡ଼ି ଚଳାଉଥିଲେ ନା ଅନ୍ୟ କେହି ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ । ଯେହେତୁ ଏହି ରାସ୍ତା ପୁରା ଜନଗହଳି ପୂର୍ଣ୍ଣ ସହ ରାସ୍ତାରେ ବହୁ ଥାନା ଏବଂ ଠାଏଁ ଠାଏଁ ଟ୍ରାଫିକ ପୋଲିସ ମୁତୟନ ରହିଛନ୍ତି । ତେବେ କାହା ନଜରରେ ମଧ୍ୟ ଏହା ସନ୍ଦେହ ଘେରକୁ ନଆସି ସହରରୁ ଅନାୟସରେ ଗାଡ଼ିଟି ଖସି ଅନ୍ଧ୍ର ବୋର୍ଡ଼ ପୂର୍ବରୁ ଅଟକି ରହି ଅପହରଣକାରୀ ସୁରୁଖୁରୁରେ ଖସି ପଳାଇଲେ । ଘଟଣା କ୍ରମରେ ସଂସ୍ଥା କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଟାଣି ହେଉଛି ।


