କଟକ ସହରରେ ନିମ୍ନମାନର ଖାଦ୍ୟ ପାଇଁ ଲୋକେ ଚିନ୍ତିତ
କଟକ:(ଦୀପକ୍ କୁମାର ବେଉରା) କଟକ ସହରରେ ଦିନକୁ ଦିନ ବଢୁଛି ନିମ୍ନମାନର ଖାଦ୍ୟ । ସିଏମସି ଅଧୀନରେ ରହିଥିବା ସମସ୍ତ ୱାର୍ଡରେ ଏଭଳି ସଙ୍ଗୀନ ଅଭିଯୋଗ ଆସୁଛି । ତେବେ ଏହାର ସମାଧାନ ପାଇଁ ସିଏମସି ଅଣ୍ଟା ଭିଡ଼ିଛି । ଗତ ମାସକ ମଧ୍ୟରେ କଟକର ପ୍ରମୁଖ ଅଞ୍ଚଳ ଯଥା, ସିଡିଏ, ବକ୍ସି ବଜାର, ରାଣୀହାଟ, ଶିଖରପୁର, ବାଦାମବାଡ଼ି, ଦୋଳମୁଣ୍ଡେଇ ଅଞ୍ଚଳରୁ ଅନେକ ଦୋକାନ ସିଲ କରିବା ସହ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ଫାଇନ କାଟି ସାରିଛି କଟକ ମହାନଗର ନିଗମ ।ବିନା ଲାଇସେନ୍ସରେ ଲୋକଙ୍କୁ ଦିଆଯାଇଛି ନିମ୍ନମାନର ଖାଦ୍ୟ । ବିଶେଷକରି ସିଡିଏ, ବାଦାମବାଡ଼ି ଅଞ୍ଚଳରେ ଥିବା ଉଠା ବ୍ୟବସାୟୀ ଓ ନିମ୍ନ ମାନର ହୋଟେଲରୁ ଏପରି ଅଭିଯୋଗ ସାମ୍ନାକୁ ଆସୁଛି । ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ସିଏମସିର ଖାଦ୍ୟ ସୁରକ୍ଷା କମିଟି ସିଡିଏ ଅଞ୍ଚଳରେ ଯେଉଁ ହୋଟେଲରେ ଖାଦ୍ୟ ନିମ୍ନ ମାନର ତିଆରି ହେଉଛି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହାସହ ଅନ୍ୟ ୱାର୍ଡ ମାନଙ୍କରେ ମଧ୍ୟ ନଜର ରହିଥିବା ନେଇ କହିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧକାରୀ ।


