କୃଷିମନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରନ୍ତୁ, ସଚିବମାନଙ୍କୁ ଜିଲ୍ଲାୱାରୀ ଦାୟିତ୍ୱ ଦିଅ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ମରୁଡ଼ି ମୁକାବିଲାର ପଦକ୍ଷେପ ନବୀନ ପଟ୍ଟନାୟକ ଜଳସମ୍ପଦ ବିଭାଗ ନିଜ ହାତକୁ ଛାଡ଼ନ୍ତୁ । ଜଳସମ୍ପଦ ବିଭାଗକୁ ଜଣେ ପୂର୍ଣ୍ଣକାଳୀନ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଅନ୍ତୁ । ଆଉ ବେଶିଦିନ ମନୁଷ୍ୟକୃତ ମରୁଡ଼ି କରି ଚାଷୀମାନଙ୍କୁ ଆତ୍ମହତ୍ୟାର ରାସ୍ତାକୁ ବାଛିବାକୁ ବାଧ୍ୟ କରନି । ବହୁତ ହୋଇଗଲା । ଆଉ ବରଦାସ୍ତ ହେବନାହିଁ । ପୁଣି ରାଜରାସ୍ତାକୁ ଓହ୍ଲାଇବେ ଚାଷୀ । ଶାସକ ଦଳର ମନ୍ତ୍ରୀ, ବିଧାୟକମାନଙ୍କୁ ବାଟଘାଟରେ ଘେରିବାକୁ ଚାଷୀମାନଙ୍କୁ ଆହ୍ୱାନ ଦିଆଯିବ । ସରକାରଙ୍କ ଉପରଠାଉରିଆ ମରୁଡ଼ି ସମୀକ୍ଷାକୁ ନେଇ ସରକାର ଉପରେ ଏମିତି ଅସନ୍ତୋଷ ଝାଡ଼ିଛନ୍ତି ନନନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ । ସେ କହିଛନ୍ତି ଯେ, ଏ ରାଜ୍ୟରେ ନବୀନ ଶାସନରେ କେତେ ଚାଷୀ ଯେ ଆତ୍ମହତ୍ୟା କଲେଣି ତାର ହିସାବ ନାହିଁ । ହେଲେ ଉତ୍କଟ ମରୁଡ଼ିରେ ତଥାପି ସରକାରଙ୍କ ନିଦ ଭାଙ୍ଗୁନାହିଁ । ସରକାର ସମ୍ବେଦନଶୀଳତା କଥାକୁ ସମ୍ପୂର୍ଣ୍ଣ ଭୁଲିଯାଉଛନ୍ତି । ଯେତେବେଳେ ମରୁଡ଼ିର ଏହି ଗମ୍ଭୀର ସ୍ଥିତି ସରକାର ପ୍ରାକ୍ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ମୁଖର । ଗୋଟିଏ କୃଷିପ୍ରଧାନ ରାଜ୍ୟରେ ଯେଉଁଠି ୭୦ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି, ସେଠି ଶାସନ ଯେତେବେଳେ ମରୁଡ଼ି ମୁକାବିଲାକୁ ଗୁରୁତ୍ୱ ଦେଉନାହିଁ, ସେଠି ସ୍ପଷ୍ଟ ହେଉଛି ଶାସକ କେତେ ଚାଷୀବିରୋଧୀ? ଜୁନ୍ ମାସରୁ ପାଣିପାଗ ବିଭାଗ ସତର୍କ କଲା ଯେ, ଜୁଲାଇରେ ଅନାବୃଷ୍ଟି ହେବ । ସେତେବେଳଠାରୁ ସରକାର ଏକଥାକୁ ଖିଆଲ ରଖିଲେ ନାହିଁ । ଖଣିରୁ ପାଇଥିବା ଗଦା ଗଦା ଟଙ୍କାକୁ କେବଳ ଠିକାଦାରୀ ବିଭାଗକୁ ବାଣ୍ଟି ଦିଆଯାଇଛି ବିଜେଡ଼ି କର୍ମୀମାନଙ୍କୁ ନିର୍ବାଚନୀ ଖର୍ଚ୍ଚ ଦେବା ପାଇଁ । ହେଲେ ଅନ୍ନଦାତା ଚାଷୀର କୋଭିଡ଼ ପାହାର ପରେ ମରୁଡ଼ିରେ ଅଣ୍ଟା ଭାଙ୍ଗିଯିବ, ଏକଥା ସରକାର ଭାବିଲେ ନାହିଁ । ପ୍ରମୁଖ ଗଣମାଧ୍ୟମାନେ ବାରମ୍ବାର ମରୁଡ଼ି ସ୍ଥିତ ସୁଚାଇବା ପରେ ମଧ୍ୟ ମରୁଡ଼ି ମୁକାବିଲା ବୈଠକ ଡ଼କାଗଲା ନାହିଁ । ଏବେ କେବଳ ନାମକେବାସ୍ତେ ନିଜର ସ୍କିନ୍ ସେଭ ପାଇଁ ମରୁଡ଼ି ସମୀକ୍ଷା ବୈଠକ ଡ଼କାଯାଇଥିଲା । ଏଥିରେ ଚାଷୀଙ୍କ ସ୍ୱାର୍ଥରକ୍ଷା କଥା ଶୂନ । ଯଦି ସରକାର ପ୍ରକୃତରେ ମରୁଡ଼ି ମୁକାବିଲା କରିବାକୁ ଚାହାଁନ୍ତି, ତେବେ ପ୍ରତି ଜିଲ୍ଲାକୁ ଜଣେ ଜଣେ ସଚିବ ଓ ମନ୍ତ୍ରୀଙ୍କୁ ପଠାଇ କ୍ଷେତ୍ର ପରିଦର୍ଶନ ସହ ଉଠାଜଳସେଚନ ପଏଣ୍ଟ ଗୁଡ଼ିକ ଯୁଦ୍ଧକାଳୀନଭିତ୍ତିରେ ସଚଳ କରାଗଲା କି ନାହିଁ ସେମାନେ ଦେଖନ୍ତୁ । ଯେଉଁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦଳର ପ୍ରଭାରୀ ହିସାବରେ ବିଭିନ୍ନ ଜିଲ୍ଲାକୁ ପଠାଯାଉଛି, ସେମାନଙ୍କୁ ତୁରନ୍ତ କାମରେ ନିୟୋଜିତ କରାଯାଉ ବୋଲି ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦବ ନନ୍ଦ ବିବୃତ୍ତି ରଖିଛନ୍ତି ।


