୩ବର୍ଷ ପରେ ମୁମ୍ବାଇରୁ ଘରକୁ ଫେରିଲେ ବାଲେଶ୍ୱରର ନିରୁଦ୍ଦିଷ୍ଟ ମହିଳା
ମୁମ୍ବାଇର‘ଶ୍ରଦ୍ଧା ଫାଉଣ୍ଡେସନ’ଓ‘ଆମ ବାଲେଶ୍ୱର’ଉଦ୍ୟମକୁ ସାଧାରଣରେ ପ୍ରଶଂସା
ବାଲେଶ୍ୱର, (ସରୋଜ ପଣ୍ଡା): ତିନି ବର୍ଷ ପୂର୍ବରୁ ବାଲେଶ୍ୱରରୁ ନିରୁଦ୍ଦିଷ୍ଟ ହୋଇଥିବା ମହିଳା ମୁମ୍ବାଇର ‘ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ’ ଦ୍ୱାରା ଉଦ୍ଧାର ହେବା ପରେ ‘ଆମ ବାଲେଶ୍ୱର’ ସଂଗଠନ ସହଯୋଗରେ ସୋମବାର ଘରକୁ ଫେରି ଆସିଛନ୍ତି । ମହିଳା ଜଣକ ହେଲେ ସହରର ଗୋପାଳଗାଁ ତଳସାହି ଅଞ୍ଚଳର ସ୍ୱର୍ଗତ ଗୋପାଳ ହାଁସଦାଙ୍କ ପତ୍ନୀ ସଲମା ହାଁସଦା (୫୦) । ସାମାନ୍ୟ ମାନସିକ ଭିନ୍ନକ୍ଷମ ଥାଇ ସଲମା ଗତ ୩ ବର୍ଷ ତଳେ ବାହାନଗା ସ୍ଥିତ ନିଜ ଭାଈ ଘରକୁ ଟ୍ରେନରେ ଯିବା ସମୟରେ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ । ସେ ଭୁଲବଶତଃ ହାୱଡ଼ା ଯାଉଥିବା ଏକ ଟ୍ରେନରେ ଚଢ଼ି ପ୍ରଥମେ ଖଗଡପୁର ଓ ପରେ ସେଠାରୁ ଗୋଟିଏ ପରେ ଗୋଟିଏ ଟ୍ରେନ ବଦଳ କରି ଶେଷରେ ମୁମ୍ବାଇରେ ପହଞ୍ଚ ଯାଇଥିଲେ । ସ୍ପଷ୍ଟ ହିନ୍ଦୀ କହିପାରୁ ନଥିବାରୁ ଘରକୁ ଫେରିବା ତାଙ୍କ ପାଇଁ କଷ୍ଟକର ବ୍ୟାପାର ଥିଲା । ଦୀର୍ଘ ଦିନ ଏଣେ ତେଣେ ଅସହାୟ ବୁଲି ବୁଲି ଜୀବନ ବିତାଇବାକୁ ଲାଗିଥିଲେ ସେ । ତେବେ ମୁମ୍ବାଇରେ ଏଣେତେଣେ ଇତଃସ୍ତତ ଭାବେ ବୁଲୁଥିବା ବେଳେ ଗତ ଜୁଲାଇ ମାସ ୭ ତାରିଖରେ ସ୍ୱେଚ୍ଛାସେବୀ ସଂଗଠନ ‘ଶ୍ରଦ୍ଧା ଫାଉଣ୍ଡେସନ’ କର୍ମକର୍ତ୍ତାଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ଉଦ୍ଧାର କରିବା ସମୟରେ ସଲମା ମାନସିକ ଭିନ୍ନକ୍ଷମ ଥିବା ଲକ୍ଷ୍ୟ କରି କର୍ମକର୍ତ୍ତାମାନେ ତାଙ୍କର ଚିକିତ୍ସା କରାଇଥିଲେ । ଉତ୍ତମ ଚିକିତ୍ସା ସହ ଶ୍ରଦ୍ଧା ଫାଉଣ୍ଡେସନର ସ୍ୱଧାର କେନ୍ଦ୍ରରେ ରହି ସଲମା ସୁସ୍ଥ ହୋଇଥିଲେ । ତେବେ ସ୍ୱାଧାର କେନ୍ଦ୍ରରେ ଶ୍ରଦ୍ଧା ଫାଉଣ୍ଡେସନର ଓଡ଼ିଆ କାର୍ଯ୍ୟକର୍ତ୍ତା ଲକ୍ଷ୍ମୀପ୍ରିୟା ବିଷୋୟୀଙ୍କ ସଂସ୍ପର୍ଶରେ ଆସିବା ପରେ ସଲମା ନିଜ ଘର ଓ ପରିବାର ସମ୍ପର୍କରେ କହିଥିଲେ । ସଲମାଙ୍କ ନିକଟରୁ ସୂଚନା ପାଇବା ପରେ ଫାଉଣ୍ଡେସନ ପକ୍ଷରୁ ଅଗଷ୍ଟ ୧୩ ତାରିଖରେ ‘ଆମ ବାଲେଶ୍ୱର’ ସଂଗଠନ ସହ ଯୋଗାଯୋଗ କରାଯାଇଥିଲା । ସେହି କ୍ରମରେ ଆମ ବାଲେଶ୍ୱର ପକ୍ଷରୁ ସଲମାଙ୍କ ପରିବାରବର୍ଗଙ୍କୁ ଯୋଗଯୋଗ ସହ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରାଯାଇଥିଲା । ସଂଗଠନର କର୍ମକର୍ତ୍ତାଙ୍କ ଅନୁରୋଧ କ୍ରମେ ଶ୍ରଦ୍ଧା ଫାଉଣ୍ଡେସନର ଲକ୍ଷ୍ମୀପ୍ରିୟା ବିଷୋୟୀ ସଲମାଙ୍କୁ ନେଇ ବାଲେଶ୍ୱରରେ ଆସି ପହଞ୍ôଚଥିଲେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଷ୍ଟେସନ କ୍ଲବ ପରିସରରେ ସଲମାଙ୍କୁ ସ୍ୱାଗତ ସହ ଲକ୍ଷ୍ମୀପ୍ରିୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଲମାଙ୍କୁ ଉଦ୍ଧାର ଓ ଚିକିତ୍ସା ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ବିନାମୂଲ୍ୟରେ ସମସ୍ତ ପ୍ରକାର ଔଷଧ ଓ ଚିକିତ୍ସା ସେବା ଶ୍ରଦ୍ଧା ଫାଉଣ୍ଡେସନ ଯୋଗାଇ ଦେବ ବୋଲି ଲକ୍ଷ୍ମୀପ୍ରିୟା କହିଛନ୍ତି । ପରେ ସମାଜସେବୀ ସୁବାସିନୀ ଜେନା, ଭୁବନାନନ୍ଦ ଦାସ, ନିରଞ୍ଜନ ପରିଡ଼ା, ସୁବ୍ରତ କର, ଜନ୍ମେଜୟ ରାଉତ, ଗିରିଜା ଶଙ୍କର ଦାସ, ଶଶାଙ୍କ ଶେଖର ଦତ୍ତ, ଗଙ୍ଗାଧର ଦାସ ପ୍ରମୁଖ ‘ଆମ ବାଲେଶ୍ୱର’ ସଂଗଠନର କର୍ମକର୍ତ୍ତାମାନେ ସଲମାଙ୍କୁ ନେଇ ଗୋପାଳଗାଁ ତଳସାହିରେ ତାଙ୍କ ଘର ନିକଟରେ ପହଞ୍ଚିଥିଲେ । ସେଠାରେ ସଲମାଙ୍କ ପରିବାରବର୍ଗଙ୍କ ନିକଟରେ ତାଙ୍କୁ ହସ୍ତାନ୍ତରେ କରିଥିଲେ । ତେବେ ଦୀର୍ଘଦିନ ନିଖୋଜ ପରେ ସଲମାଙ୍କର ଗୃହ ପ୍ରତ୍ୟାବତ୍ତର୍ନକୁ ନେଇ ତାଙ୍କ ପରିବାର ତଥା ପଡୋଶୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମୁମ୍ବାଇର ଶ୍ରଦ୍ଧା ଫାଉଣ୍ଡେସନ ଓ ‘ଆମ ବାଲେଶ୍ୱର’ ସଂଗଠନର ଏହି ଭଳି ପ୍ରଚେଷ୍ଟାକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।