ତେଲେଙ୍ଗାନାରେ ଆଜିଠୁ ଖୋଲିଲା ସମସ୍ତ ଶିକ୍ଷାନୁଷ୍ଠାନ
ହାଇଦ୍ରାବାଦ, କରୋନା ସଙ୍କଟକୁ ନେଇ ଦୀର୍ଘ ଦିନ ଧରି ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଗୁଡିକ ଆଜି ଠାରୁ ପୁଣି ଥରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଖୋଲିଛି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ କରୋନା ମାର୍ଗଦର୍ଶିକାକୁ କଡ଼ାକଡ଼ି ପାଳନ କରି ପୁନଃ ଛାତ୍ରଛାତ୍ରୀଙ୍କ ନିମନ୍ତେ ଖୋଲିଛି । ଇତିମଧ୍ୟରେ ଏକ ଆବେଦନ ଉପରେ ତେଲେଙ୍ଗାନା ହାଇକୋର୍ଟ ଅଫ୍ ଲାଇନ୍ କ୍ଲାସ୍ କୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ ନକରିବାକୁ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୧ ସେପ୍ଟେମ୍ବରରୁ ବିଦ୍ୟାଳୟ ଖୋଲାଯିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବା ନିମନ୍ତେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର୍ ହୋଇଛି । ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ଆବେଦନକାରୀ ବାଲକୃଷ୍ଣା ଏହି ଆବେଦନରେ ଦର୍ଶାଇଥିଲେ ଯେ, ଯେ କୌଣସି ପ୍ରକାରେ ସ୍କୁଲ ଖୋଲିବା ନେଇ ନିର୍ଦ୍ଦେଶ ଜାରୀ କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣ ବର୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଶେଷ ହୋଇନାହିଁ । ଏପରି ସ୍ଥିତିରେ ବିଦ୍ୟାଳୟ ଖୋଲାଯାଇ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ବିପଦରେ ପକାଯାଉଛି । ଏହା ଉପରେ ହାଇକୋର୍ଟ ନିର୍ଦ୍ଦେଶ ଜାରୀ କରି କହିଛନ୍ତି ଯେ, ବିଦ୍ୟାଳୟ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଅଫ୍ ଲାଇନ୍ କ୍ଲାସରେ ସାମିଲ୍ ହେବାକୁ କୌଣସି ଚାପ ନପକାନ୍ତୁ ।


