ଆୟକର ବିଭାଗ ତରଫରୁ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ବଳଦେବ ମହାରଥା ସମ୍ବର୍ଦ୍ଧିତ
ଭୁବନେଶ୍ୱର (ୱାଇଏନ୍ଏସ୍): ପ୍ରଗତିଶୀଳ ଭାରତବର୍ଷ 75ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ଅବସରରେ 75 ସପ୍ତାହ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 12 ମାର୍ଚ୍ଚ 2021 ରେ ଅହମ୍ମଦାବାଦର ସାବରମତି ଆଶ୍ରମରୁ ‘ଦାଣ୍ଡି ମାର୍ଚ୍ଚ’କୁ ପତାକା ଦେଖାଇ ଏହାର ଲୋକ, ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ପାଳନ କରିବା ତଥା ସ୍ମରଣ କରିବା ଉଦେଶ୍ୟରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରିବା ପାଇଁ ଘୋଷଣା କରିଥିଲେ | ଏହା ଭାରତ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ, ଏହି ଅବସରରେ ଭୁବନେଶ୍ୱର ଆୟକର ବିଭାଗ ତରଫରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଇଅଛି | ଭୁବନେଶ୍ୱର ଆୟକର ବିଭାଗ ତରଫରୁ ଭୁବନେଶ୍ୱର ଆୟକର ଭବନ କଳିଙ୍ଗ କନ୍ଫରେନ୍ସ କକ୍ଷରେ ଆୟୋଜିତ ଏହି ଉତ୍ସବରେ ଅବସରପ୍ରାପ୍ତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ସ୍ୱନାମଧନ୍ୟ ଚିତ୍ରଶିଳ୍ପୀ ତଥା ବି. କେ ଆର୍ଟ କଲେଜର ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ବଳଦେବ ପ୍ରସାଦ ମହାରଥାଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି | କଳା ସାହିତ୍ୟ କ୍ଷେତ୍ରରେ ଶ୍ରୀଯୁକ୍ତ ମହାରଥାଙ୍କ ଅବଦାନ ସମ୍ପର୍କରେ ବିଷାଦ ଆଲୋଚନା କରାଯାଇଥିଲା , ଏହାର ଉତ୍ତରରେ କଳା କ୍ଷେତ୍ରରେ କିପରି ଓଡ଼ିଶାର ଯୁବସମାଜ ଆହୁରି ଅଧିକରୁ ଅଧିକ ଉନ୍ନତ କରି ପାରିବ ସେ ଉପରେ ଆଲୋକପାତ କରିଥିଲେ |


