ଲକ୍ଷ୍ୟଠାରୁ ବହୁଦୂରରେ ଧାମନଗର ଜିଲ୍ଲା କୃଷି କାର୍ଯ୍ୟାଳୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ;ଧାମନଗର ନିକଟ ମହୁରା ଛକ ଠାରେ ପ୍ରତିଷ୍ଠା ହୋଇଥିବା ଧାମନଗର ଜିଲ୍ଲା କୃଷି କାର୍ଯ୍ୟାଳୟ ଏବେ ଲକ୍ଷ୍ୟଠାରୁ ବହୁଦୂରକୁ ଚାଲିଯାଇଥିବା ଜଣାପଡିଛି । ବ୍ଲକ ସ୍ତରୀୟ କୃଷି ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ୨୦୧୪-୧୫ମସିହା ଠାରୁ ଏଠାରେ ଉପଖଣ୍ଡ ସ୍ତରୀୟ ଜିଲ୍ଲା କୃଷିକାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ଆବଶ୍ୟକୀୟ କର୍ମଚାରୀ ଅଭାବ ରହିଥିଲେ ସୁଦ୍ଧା ମୁଖ୍ୟ ଅଧିକାରୀଙ୍କ ସମେତ ଚାରିଜଣ ସହଯୋଗୀ ଅଧିକାରୀ ଏଠାରେ କାର୍ଯ୍ୟ କରୁଛନ୍ତି । ଧାମନଗର ବ୍ଲକ ସମେତ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ କୃଷି ଓ କୃଷକର ଉନ୍ନତି କେଉଁଭଳି ଭାବେ ହୋଇପାରିବ ତାହା ଉପରେ ଉକ୍ତ କାର୍ଯ୍ୟାଳୟ ଦୃଷ୍ଟିଦେବା କଥା । ମୁଖ୍ୟତଃ ଉକ୍ତ ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରୁ ବିଭିନ୍ନ ସରକାରୀ ଯୋଜନା ମାନ ଚାଷୀଙ୍କ ନିକଟରେ ବ୍ଲକ କାର୍ଯ୍ୟାଳୟ ଦେଇ ପହଞ୍ଚିଥାଏ । ଚାଷଜମିର ମାଟି ପରୀକ୍ଷା, ଧାଡି ରୁଆ ଓ ନୂତନ ଅତ୍ୟାଧୁନିକ ବିହନ ଯୋଗାଣ ହେଉ ସବୁଥିରେ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟର ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ଥାଏ । ଏହାଛଡା କାର୍ଯ୍ୟାଳୟ ଅଧିନରେ ଥିବା ବୃହତ୍ତ କୃଷି ଫାର୍ମର ତଦାରଖ ଦାୟିତ୍ୱ ମଧ୍ୟ ଉକ୍ତ ବିଭାଗୀୟ ଅଧିକାରୀଙ୍କ ହାତରେ ନ୍ୟସ୍ତ ରହିଛି । ପରିତାପର ବିଷୟ କୃଷିଭିତ୍ତିକ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଉକ୍ତ କାର୍ଯ୍ୟାଳୟ ହାତରେ ରହିଥିଲେ ସୁଦ୍ଧା ଏହା କେବଳ ସାର ଓ କୀଟନାଶକ ଓଷଧ ବିକ୍ରୟ କରିବା ପାଇଁ ଖୁଚୁରା ବିକ୍ରେତାଙ୍କୁ ସ୍ୱୀକୃତୀପତ୍ର ପ୍ରଦାନ କରିବା କାର୍ଯ୍ୟମଧ୍ୟରେ କାର୍ଯ୍ୟାଳୟଟି ସୀମିତ ରହିଛି । ଯାହାକୁ ନେଇ ଅଞ୍ଚଳର ବହୁଚାଷୀ କ୍ଷୋଭ ପ୍ରକାଶ କରିବା ସହ ଉକ୍ତ କାର୍ଯ୍ୟାଳୟର କାର୍ଯ୍ୟଦକ୍ଷତାକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।


