ଅକାମୀ ଉଠା ଜଳସେଚନ ପ୍ରକଳ୍ପକୁ ନେଇ ଚିନ୍ତାରେ ଚାଷୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଆବଶ୍ୟକ ପରିମାଣରେ ବୃଷ୍ଟିପାତ ଅଭାବରୁ ଏବେ ବିଭିନ୍ନ ଅଞ୍ଚଳରେ ମରୁଡିର ପଦଧ୍ୱନୀ ଶୁଭିଲାଣି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତରେ ଚଳିତବର୍ଷ ପ୍ରାୟ ୧୭ହଜାର ହେକ୍ଟର ଚାଷଜମିରେ ଖରିଫ ଧାନ ଚାଷ ହୋଇଥିବାବେଳେ ଏବେ ଆବଶ୍ୟକ ଜଳାଭାବରୁ କୃଷିକ୍ଷେତ ଗୁଡିକ ମଳିନ ହେବାକୁ ବସିଛି । ଇତିମଧ୍ୟରେ ସମସ୍ତ ଜମିରେ ପ୍ରାୟ ଧାନରୁଆ କାର୍ଯ୍ୟ ସରିଥିବାବେଳେ ପାଣିର ଘୋର ଅଭାବ ଦେଖାଦେଇଛି । କେନାଲ ଆଖପାଖ ଚାଷଜମିକୁ ଛାଡିଦେଲେ ଅନ୍ୟାନ କୃଷିକ୍ଷେତରେ ଜଳସଙ୍କଟ ଦେଖାଦେଲାଣି । ଏସବୁକୁ ଦୃଷ୍ଟିରେ ରଖି ଉଠାଜଳସେଚନ ପ୍ରକଳ୍ପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ତଦନୁସାରେ ଭଣ୍ଡାରିପୋଖରୀ ବ୍ଲକ ଅଧିନରେ ୧୫୩ଗୋଟି ଜଳପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାବେଳେ ଆହୁରି ଅନେକ ପ୍ରକଳ୍ପ ଅକାମୀ ଥିବାରୁ ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି । ସୂଚନା ଅନୁସାରେ ୨୯ଟି ଉଠାଜଳସେଚନ ପଏଣ୍ଟ ବିଭିନ୍ନ କାରଣରୁ ସମ୍ପୂର୍ଣ୍ଣ ଅକାମୀ ହୋଇଯାଇଥିବାବେଳେ ୧୨ଗୋଟି ପଏଣ୍ଟ ବିଦ୍ୟୁତ ଜନିତ କାରଣରୁ ଅକାମୀ ହୋଇଯାଇଥିବା ଜଣାପଡିଛି । ଏପଟେ ଜିଲ୍ଲା ତମାମ ୧୩୨୦ ପ୍ରକଳ୍ପ ଥିଲେ ସୁଦ୍ଧା ସେଥିôରୁ ୯୨୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି । ବାକିତକ ଅଦ୍ୟାବଧି ଅଚଳବସ୍ଥାରେ ଥିବାରୁ ପଏଣ୍ଟ ଅଧିନ ଚାଷଜମି ଗୁଡିକ ଏବେ ଜଳକଷ୍ଟ ସହ୍ୟ କରୁଛି । ଅଚଳ ହୋଇଥିବା ସମସ୍ତ ପଏଣ୍ଟକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଚାଷୀମାନେ ଦୃଢ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ